ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇଛି କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତାଙ୍କ ପ୍ରାର୍ଥୀବ ଶରୀର । ଭାରତୀୟ ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଶେଷ ହୋଇଛି । ତେବେ ଲତା ମଙ୍ଗେଶକରଙ୍କ ଦେହାନ୍ତରେ ଭାବୁକ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଲତାଙ୍କୁ ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ ମୋଦି । ଲତାଙ୍କ ସହ ମୋଦିଙ୍କ ଥିବା ଦୀର୍ଘଦନର ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ମନେ ପକାଇଛନ୍ତି ମୋଦି ।
ମୋଦିଙ୍କ ନିଜସ୍ବ ଓ୍ବେବସାଇଟରେ ନିଜର ଦୀର୍ଘବର୍ଷର ସମ୍ପର୍କ ଓ ଅନୁଭବକୁ ମଧ୍ୟ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୱେବସାଇଟରେ ଲତା ଓ ମୋଦିଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ଆବେଗକୁ ମଧ୍ୟ ଉଲ୍ଲେଖ କରାଯାଇଛି । ଉଭୟଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କର ନିବିଡତା ଥିବାବେଳେ ମୋଦି ଲତାଙ୍କୁ ଦିଦି ବୋଲି ସମ୍ବୋଧିତ କରୁଥିବା ବେଳେ ଲତା ମଧ୍ୟ ମୋଦିଙ୍କୁ ନରେନ୍ଦ୍ର ଭାଇ ବୋଲି ସମ୍ବୋଧିତ କରୁଥିଲେ ।
ପ୍ରତିବର୍ଷ ଲତା ମୋଦିଙ୍କ ପାଇଁ ରାକ୍ଷୀ ପଠାଉଥିବା ବେଳେ କୋଭିଡ ସଂକ୍ରମଣ କାରଣରୁ ସେ ଗତ ୨୦୨୦ରେ ରାକ୍ଷୀ ପଠାଇ ପାରିନଥିଲେ । ପରେ ମୋଦିଙ୍କ ସହ କଥା ହେବା ସହ ସେ ଦୁଃଖିତ ବୋଲି କହିଥିଲେ । ୨୦୧୩ରେ ନରେନ୍ଦ୍ର ମୋଦି ଜାତୀୟ ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲତାଙ୍କ ସହ ଏକ ଏକ ବିଶେଷ ଘଟଣା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି ।
ପୁଣେରେ ନିଜ ପିତା ଦିନାନାଥ ମଙ୍ଗେଶକରଙ୍କ ନାମରେ ଏକ ସ୍ମାରକୀ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ ପାଇଁ ଲତା ଦିଦି ଏବଂ ତାଙ୍କ ପରିବାର ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଥିଲେ । ଆମନ୍ତ୍ରଣ ରକ୍ଷା କରି ନରେନ୍ଦ୍ର ମୋଦି ମଧ୍ୟ ପୁଣେରେ ପହଞ୍ଚିଥିଲା । ତେବେ ଏହି ସମୟରେ ମୋଦିଙ୍କୁ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିବା ସହ ଇଶ୍ବରଙ୍କୁ ପ୍ରାର୍ଥନା ମଧ୍ଯ କରିଥିଲେ ଲତା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ସାଧାରଣ ନର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସହ ଉତ୍ତର ପ୍ରଦେଶରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ । ମୋଦି ଉତ୍ତର ପ୍ରଦେଶରେ ତାଙ୍କ ନିର୍ବାଚନୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଲତା ଦିଦିଙ୍କ ସହ ଟେଲିଫୋନରେ କଥା ହୋଇଥିଲେ । ଉଭୟଙ୍କ କଥାବାର୍ତ୍ତାରେ ବଡ ଭଉଣୀ ଓ ସାନ ଭାଇର ସ୍ନେହ ଅନୁଭବ କରିଥିଲେ ମୋଦି । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସେ ନିଜର ଏହି ଅନୁଭବ ମନ କି ବାତରେ ମଧ୍ୟ ଦେଶବାସୀଙ୍କ ନିକଟରେ ଉପସ୍ଥାପନ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରତିବର୍ଷ ଲତାଙ୍କ ଜନ୍ମଦିନରେ ଫୋନ କରି ଶୁଭେଚ୍ଛା ଜଣାଇବା ପାଇଁ ଭୁଲୁନଥିଲେ । ଚଳିତ ବର୍ଷ ଲତା ଦିଦି ୯୨ ବର୍ଷରେ ପାଦ ଦେଇଥିବା ବେଳେ ମୋଦି ଫୋନ କରି ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଲତା ଅସୁସ୍ଥ ହେବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ କିଛି ମାସ ଧରି ସେ ଚିକିତ୍ସିତ ହେବା ପରେ ବାର୍ଦ୍ଧକ୍ୟଜନିତ କାରଣରୁ ଏକାଧିକ ଅଙ୍ଗ ଅଚଳ ହୋଇଥିଲା । ଆଜି ତାଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ଉପସ୍ଥିତ ରହି ଲତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦେଶବ୍ୟାପୀ ୨ ଦିନିଆ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ