ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କୁ ସୁରକ୍ଷା ଯୋଗାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଦାନୀ ଗ୍ରୁପକୁ ନେଇ ଆସିଥିବା ହିଣ୍ଡେନବର୍ଗ ରିପୋର୍ଟ ଉପରେ ମୋଦି କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଏହା ସ୍ପଷ୍ଟ କରିଛି ଯେ ମୋଦି ଆଦାନୀଙ୍କ ଉପରେ ଘଣ୍ଟା ଘୋଡ଼ାଉଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବରେ ନିଜ ଅଭିଭାଷଣ ରଖିଥିଲେ । ଏହି ଅଭିଭାଷଣରେ ସେ ଆଦାନୀ ବିବାଦ ଉପରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ଏଥିଲାଗି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏପରି ଅଭିଯୋଗ ଆଣିଛନ୍ତି ।
ଲୋକସଭାରେ ମୋଦି ନିଜ ଅଭିଭାଷଣ ଶେଷ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ରାହୁଲ । ସେ କହିଥିଲେ, "ମୁଁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ସନ୍ତୁଷ୍ଟ ନୁହେଁ । ଏହା ପରୋକ୍ଷରେ ସତକୁ ପଦାରେ ପକାଇଛି । ସେ ନିଜ ଅଭିଭାଷଣରେ ଆଦାନୀ ଗ୍ରୁପ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଯାଞ୍ଚ କରିବା ନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ । ଏଥିରୁ ସ୍ପଷ୍ଟ ଯେ ମୋଦି ସରକାର ଆଦାନୀଙ୍କୁ ସୁରକ୍ଷା ଯୋଗାଉଛନ୍ତି ।" ମୋଦି ତାଙ୍କ ପ୍ରଶ୍ନର କୌଣସି ଜବାବ ରଖିନଥିବା ରାହୁଲ ଅଭିଯୋଗ କରିଛନ୍ତି ।
ଏହା ବି ପଢନ୍ତୁ- Lok Sabha: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ କୋଟି ଭାରତୀୟଙ୍କୁ ଦିଶା ଦେଖାଇଛି: ମୋଦି
ସେ ଆହୁରି କହିଛନ୍ତି, "ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅତି ସାଧାରଣ ପ୍ରଶ୍ନ ପଚାରିଥିଲି । ଯାହାକୁ ସେ ସହଜ ଭାବରେ ଉତ୍ତର ଦେଇପାରିଥାନ୍ତେ । ମାତ୍ର ସେହି ପ୍ରଶ୍ନ ଉପରେ ମୋଦି କୌଣସି ଗୋଟିଏ ବି କଥା କହିନଥିଲେ । ମୋଦି ଯଦି ଆଦାନୀଙ୍କ ବନ୍ଧୁ ନୁହନ୍ତି, ତେବେ ସେ ହିଣ୍ଡେନବର୍ଗ ରିପୋର୍ଟ ଉପରେ ଯାଞ୍ଚ କରିବା ଲାଗି କହିବା କଥା । ହେଲେ ସେ ଏନେଇ ପଦେ କଥା ବି କହିନାହାନ୍ତି । ଏହା ସ୍ପଷ୍ଟ କରୁଛି ମୋଦି ସରକାର ଆଦାନୀଙ୍କୁ ରକ୍ଷା କରିବାକୁ ଉଦ୍ୟମ କରୁଛନ୍ତି ।"
"ହମ୍ ଆଦାନୀ କେ ହୈ କୌନ୍":- ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଜୟରାମ ଆଦାନୀ ଗ୍ରୁପ ବିରୋଧରେ ଆସିଥିବା ହିଣ୍ଡେନବର୍ଗ ରିପୋର୍ଟ ନେଇ ମୋଦିଙ୍କା ଟାର୍ଗେଟ କରି କହିଛନ୍ତି, "ହମ୍ ଆଦାନୀ କେ ହୈ କୌନ୍ ।" ଆଦାନୀ ଗ୍ରୁପ ବହୁ କମ ସମୟ ମଧ୍ୟରେ କିପରି ଭାରତରେ ସବୁଠୁ ବଡ଼ ବିମାନ ବନ୍ଦର ପରିଚାଳକ କିପରି ହେଲା କେନ୍ଦ୍ର ଏହା ଉପରେ ଜବାବ ରଖିବା ଉଚିତ ।
ସୂଚନା ଥାଉ କି ବୁଧବାର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ସରକାର ପ୍ରତିଟି ସୁଯୋଗକୁ ସମସ୍ୟାରେ ପରିଣତ କରିଛି । ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ କଂଗ୍ରେସ ଶାସନ ସମୟରେ ଦେଶ ଅନେକ ସମସ୍ୟାରେ ବୁଡ଼ି ରହିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି । ଦେଶର ବିକାଶ କରିବା ପରିବର୍ତ୍ତେ କଂଗ୍ରେସ ସରକାର ଦେଶକୁ ସମସ୍ୟା ଦିଗକୁ ଠେଲି ଦେଇଥିବା ମୋଦି କହିଛନ୍ତି । ସେତେବେଳେ କାଶ୍ମୀରଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣ ହେଉଥିଲା । ହେଲେ ଏବେ ଏଥିରେ ବହୁ ପରିବର୍ତ୍ତନ ଆସିଛି ବୋଲି ମୋଦି କହିଛନ୍ତି ।