ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଜୟନ୍ତୀ ଅବସରରେ ମନେ ପକାଇଲେ ପ୍ରଧାନମନ୍ତ୍ରୀ । ତାଙ୍କ ଜନ୍ମ ବାର୍ଷିକୀରେ ବିଜୁ ବାବୁଙ୍କୁ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ପାଇଁ ତାଙ୍କର ଭବିଷ୍ୟତ ଦୃଷ୍ଟିକୋଣ, ମାନବ ସଶକ୍ତିକରଣ ତଥା ସାମାଜିକ ନ୍ୟାୟ ଉପରେ ଗୁରୁତ୍ବ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଏ | ଓଡିଶାର ଅଗ୍ରଗତି ପାଇଁ ତାଙ୍କ ଉଦ୍ୟମ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି ପିଏମ୍ ମୋଦି ।

ସେହିପରି ଓଡିଶା ସ୍ବାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଓ ଲୋକସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବିଜୁ ବାବୁ । ଓଡିଆ ସ୍ବାଭିମାନ ଓ ନୀତି ଆଦର୍ଶକୁ ପାଥେୟ କରି ନୂଆ ଓଡିଶା ଗଠନ ଦିଗରେ କାମ କରୁଛି ବୋଲି ନବୀନ ଟ୍ବିଟ କରି କହିଛନ୍ତି ।

ଆଜି ଏହି ଅବସରରେ ରାଜ୍ୟରେ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ସାଇକେଲ ରାଲି କରାଯାଇଛି । କଟକ ଆନନ୍ଦ ଭବନରୁ ବାହାରି ଭୁବନେଶ୍ବର ବିମାନ ବନ୍ଦର ଯାଏଁ ପହଞ୍ଚିଛି ସାଇକେଲ ଯାତ୍ରା । ରାଲିରେ ସାମିଲ ହୋଇଛନ୍ତି ବହୁ ନେତା କର୍ମୀ ।
ବିଜୁ ବାବୁ ଏକାଧାରରେ ଜଣେ ପାଇଲଟ, ରାଜନୈତିଜ୍ଞ, ବ୍ୟବସାୟୀ ଆଦି ଅନେକ ଦକ୍ଷତାର ଅଧିକାରୀ ଥିଲେ । ପ୍ରଥମେ ପାଇଲଟ ଥିବା ବିଜୁ ବାବୁଙ୍କ ଓଡିଶା ପ୍ରୀତି ତାଙ୍କୁ ରାଜ୍ୟ ପାଇଁ କିଛି କରିବାକୁ ଆଗଭର କରିଥିଲା । ଯେଉଁପାଇଁ ସେ ପାଇଲଟ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ଆଉ ଓଡିଶାକୁ ଦେଇଥିଲେ ଅନେକ ମାନସ ସନ୍ତାନ । ତାଙ୍କ ମାନସ ସନ୍ତାନ ମଧ୍ୟରେ ପାରାଦ୍ବୀପ ବନ୍ଦର, ହୀରାକୁଦ ଡ୍ୟାମ୍, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଓ ଓଟିଏମ୍ ଅନ୍ୟତମ ।