ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ପୁଣି ଚିନ୍ତାର କାରଣ ପାଲଟିଛି କୋରୋନାର ନୂଆ ଭ୍ୟାରିଆଣ୍ଟ ଡେଲଟା ପ୍ଲସ । କିଛି ରାଜ୍ୟରେ ଏହି ଭ୍ୟାରିଆଣ୍ଟର ରୋଗୀ ଚିହ୍ନଟ ମଧ୍ୟ ହେଲେଣି । ସେପଟେ ଏହାରି ମଧ୍ୟରେ ଦେଶରେ ଜାରି ରହିଛି ଟୀକାକରଣ । ଏହି ଟୀକାକରଣ ଡ୍ରାଇଭର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମୀକ୍ଷା ବୈଠକ କରିଛନ୍ତି ।
ଏଯାବତ ଦେଶରେ 31 କୋଟି 50 ଲକ୍ଷ 45 ହଜାର 926 ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଭାରତ ଦ୍ରୁତଗାମୀ ଟୀକାକରଣ ଡ୍ରାଇଭରେ ସ୍ଥାନ ପାଇଛି । ଗତ 24 ଘଣ୍ଟାରେ 61 ଲକ୍ଷ 19 ହଜାର 169 ଲୋକଙ୍କୁ ଟିକା ଦିଆଯାଇଛି । ଦେଶରେ ଚଳିତ ବର୍ଷ ଜାନୁଆରୀ 16 ତାରିଖଠାରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପର୍ଯ୍ୟାୟକ୍ରମେ ପ୍ରଥମେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଥିଲା । ଫେବୃଆରୀ 2 ତାରିଖରେ ଆଗଧାଡିର କର୍ମୀଙ୍କୁ ଟିକା ଦିଆଯାଇଥିଲା । ଏହାପରେ ମାର୍ଚ୍ଚ 1 ତାରିଖଠାରୁ 60 ବର୍ଷରୁ ଊର୍ଦ୍ଧ୍ବ ଓ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା 45 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା ।
ଏପ୍ରିଲ 1 ତାରିଖ ଠାରୁ 45 ବର୍ଷର ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହୋଇଥିଲା । ମେ 1 ତାରିଖଠାରୁ 18ରୁ 44 ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହୋଇଥିଲା । ସେପଟେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 48 ହଜାର 698 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 64 ହଜାର 818 ଜଣ ସୁସ୍ଥ ହୋଇଛନ୍ତି । 1183 ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 1 ଲକ୍ଷ 83 ହଜାର 143ରେ ପହଞ୍ଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା 2 କୋଟି 91 ଲକ୍ଷ 93 ହଜାର 85 ଓ ମୃତକଙ୍କ ସଂଖ୍ୟା 3 ଲକ୍ଷ 94 ହଜାର 493ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ 5 ଲକ୍ଷ 95 ହଜାର 565 ସକ୍ରିୟ ମାମଲା ରହିଛି । ସୁସ୍ଥହାର 96. 72 ପ୍ରତିଶତ ରହିଥିବା ବେଳେ ମୃତ୍ୟୁହାର 1.31ପ୍ରତିଶତରେ ପହଞ୍ଚିଛି ।
@ANI