ନୂଆଦିଲ୍ଲୀ: ତାଲିବାନର କବଜା ପରେ ଆଫଗାନିସ୍ତାନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ 7 ଲୋକକଲ୍ୟାଣ ମାର୍ଗରେ ଚାଲିଛି ବଡ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଅଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଏହା CSS ବୈଠକ । ଏହି ବୈଠକରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ଆଲୋଚନା ହେଉଛି। ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ମଧ୍ୟ ଆଲୋଚନା ଚାଲିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତି ଉପରେ କଡା ନଜର ରଖିଥିବା କୁହାଯାଉଛି। ଆଫଗାନିସ୍ତାନରେ ଭାରତୀୟଙ୍କ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରିଥିଲେ।
ଆଫଗାନିସ୍ତାନରୁ ବିମାନ ଉଡ଼ାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଜାମନଗରକୁ ଫେରୁଥିବା ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।