ନୂଆଦିଲ୍ଲୀ: ଆଜି ଉତ୍କର୍ଷ ସମାରୋହକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟରେ ଆୟୋଜିତ ଉତ୍କର୍ଷ ସମାରୋହ କାର୍ଯ୍ୟକ୍ରମକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧନ କରିଛନ୍ତି ମୋଦି । ରାଜ୍ୟର ଜିଲ୍ଲାଗୁଡିକରେ 4ଟି ସରକାରୀ ଯୋଜନାର ଶତପ୍ରତିଶତ କାର୍ଯ୍ୟକାରିତା ନେଇ ହିତାଧିକାରୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ଭାବ ବିହ୍ବଳ ହୋଇପଡିଥିବା ଦେଖିବାକୁ ମିଳିଛି ।
ଜଣେ ଦୃଷ୍ଟିବାଧିତ ହିତାଧିକାରୀଙ୍କ ସହ କଥା ହୋଇଥିଲେ ମୋଦି । ସେହି ସମୟରେ ସେମାନଙ୍କ ଝିଅଙ୍କ ଶିକ୍ଷା ବିଷୟରେ ତାଙ୍କୁ ପଚାରିଥିଲେ । ତାଙ୍କ 3 ଜଣ ଝିଅ ପାଠପଢି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ଡାକ୍ତର ହେବା ପଛର କାରଣ ପଚାରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, '' ମୋ ବାପା ଯେଉଁ ସମସ୍ୟାରେ ଅଛନ୍ତି ସେଥିପାଇଁ ମୁଁ ଡାକ୍ତର ହେବାକୁ ଚାହୁଁଛି । ଏହା ଶୁଣିବା ମାତ୍ରେ ପ୍ରଧାନମନ୍ତ୍ରୀ ଭାବ ବିହ୍ବଳ ହୋଇ ପଡିଥିଲେ । କିଛି ସମୟ ପାଇଁ ଚୁପ ରହି ଯାଇଥିଲେ । ଏହା ପରେ ତାଙ୍କ ଆତ୍ମବିଶ୍ବାସ ଓ ଦୃଢ ମନୋଭାବକୁ ପ୍ରଶଂସା କରିଥିଲେ । ତୁମ ଅନୁଗ୍ରହଭାବ ହିଁ ତୁମ ଶକ୍ତି ବୋଲି କହିଥିଲେ ମୋଦି ।
ଏହା ବି ପଢନ୍ତୁ... ରାଜୀବ କୁମାର ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର
ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ 31 ଯାଏଁ ଭାରୁଚ ପ୍ରଶାସନ ଉତ୍କର୍ଷ ଡ୍ରାଇଭ ଆରମ୍ଭ କରିଥିଲେ । ଏହାର ଲକ୍ଷ୍ୟ ଥିବା ରାଜ୍ୟର ସମସ୍ତ ଦରିଦ୍ର, ବିଧବା ଏବଂ ବାର୍ଦ୍ଧ୍ୟକ ଲୋକଙ୍କୁ ବିଭିନ୍ନ ଯୋଜନା ଜରିଆରେ ସହାୟତା ପ୍ରଦାନ କରିବା । ସେମାନେ କିପରି ସରକାରୀ ଯୋଜନାରୁ ଲାଭବାନ ହେବେ ସେ ଦିଗରେ ଦୃଷ୍ଟି ଦେବା । 4ଟି ଯୋଜନାରେ ମୋଟ 12, 854 ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।
ଗଙ୍ଗା ସ୍ବରୁପା ଆର୍ଥିକ ସହାୟତା ଯୋଜନା, ଇନ୍ଦିରା ଗାନ୍ଧୀ ବୃଦ୍ଧ ସହାୟତା ଯୋଜନା, ନିରାଧର ବୃଦ୍ଧ ଆର୍ଥିକ ସହାୟତା ଯୋଜନା ଏବଂ ରାଷ୍ଟ୍ରୀୟ କୁଟୁମ୍ବ ସହାୟ ଯୋଜନା ଭଳି 4ଟି ଯୋଜନା ରହିଛି । ଯେଉଁମାନେ ଏହି ଯୋଜନାରେ ଲାଭବାନ ହୋଇନାହାନ୍ତି, ସେମାନଙ୍କ ଯୋଗାଯୋଗ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଥିଲା । ଉତ୍କର୍ଷ କ୍ୟାମ୍ପ ଜିଲ୍ଲା ମ୍ୟୁନସିପାଲଟି ଅଞ୍ଚଳର ସମସ୍ତ ଗାଁ ଏବଂ ୱାର୍ଡରେ ଆୟୋଜିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ