ଲକ୍ଷ୍ନୌ: ଲୋକଙ୍କ ଭୋଟ ହାତେଇବା ପାଇଁ ମାଗଣାରେ ରାବିଡି ବାଣ୍ଚିବା ନୀତି ଆପଣାଇବା ଦେଶ ପାଇଁ ହାନୀକାରକ । ଏହି ଅଭ୍ୟାସକୁ ଦେଶର ରାଜନୀତିରୁ ହଟାଇବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେକୁ ଲୋକାର୍ପଣ କାର୍ଯ୍ୟକ୍ରମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ବରୋଧୀଙ୍କୁ ଏପରି ଭାବେ ସମାଲୋଚନା କରି ଏହି ଉାପାଖ୍ୟାନ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଥିଲା ।
ମାତ୍ର 28 ମାସରେ ନିର୍ମିତ ହୋଇ ରେକର୍ଡ କରିଥିବା ଏହି ଏକ୍ସପ୍ରେସ-ଓ୍ବେ ଲୋକାର୍ପଣ ପାଇଁ ଜାଲୌନରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ସହ ବିରୋଧୀଙ୍କୁ ଲୋକପ୍ରିୟ ତଥା ସସ୍ତା ଯୋଜନାକୁ ନେଇ କଡା ଟିପ୍ପଣୀ ରଖିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଦେଶରେ ମାଗଣା ରାବିଡି ବଣ୍ଟନ ପ୍ରଥା ଆରମ୍ଭ ହେବାକୁ ଲାଗିଲାଣି । ଯାହା ଦେଶର ବିକାଶ ପାଇଁ ବଡ ବାଧକ ସାଜିବାକୁ ଯାଉଛି । ସସ୍ତା ଯୋଜନା ଦେଖାଇ ଭୋଟ କିଣିବାକୁ ପ୍ରୟାସ ହେଉଛି । ଏହି ମାଗଣା ବଣ୍ଟନ ସଂସ୍କୃତି ଠାରୁ ଦେଶବାସୀଙ୍କୁ ସତର୍କ ରହିବା ଆବଶ୍ୟକ । ଏପରି ପ୍ରୟାସ କରୁଥିବା ରାଜନୈତିକ ଦଳ ଓ ନେତାଙ୍କୁ ଲାଗୁଛି, ସେମାନେ ଏପରି ଭାବେ ଭୋଟରଙ୍କୁ ପ୍ରଭାବିତ କରି ସୋମାନଙ୍କ ଭୋଟ କିଣିବାରେ ସକ୍ଷମ ହେବେ । ହେଲେ ଜନତା ତାଙ୍କୁ ଉଚିତ ଯବାବ ଦେଇ ତାଙ୍କ ମାନସିକତାକୁ ହରାଇବାକୁ ପଡିବ ।
ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟରେ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲ କହିଛନ୍ତି, ଶିକ୍ଷା ଆଉ ସ୍ବାସ୍ଥ୍ୟସେବା ମାଗଣା ନୁହେଁ କିନ୍ତୁ ବନ୍ଧୁଙ୍କ ଋଣ ଛାଡ କରିବା ହିଁ ମାଗଣାରେ ରାବିଡି ବାଣ୍ଟିବା ସଂସ୍କୃତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ