ନୂଆଦିଲ୍ଲୀ: ବର୍ଲିନ୍ରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ଦେଶରେ ବିଜେପି ସରକାର ଆସିବା ପରେ ଭାରତରେ ରାଜନୈତିକ ସ୍ଥିରତା ଆସିଛି ବୋଲି କହିଛନ୍ତି ମୋଦି । ସଂସ୍କାର ମାଧ୍ୟମରେ ବିଜେପି ସରକାର ଦେଶକୁ ପରିବର୍ତ୍ତନ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି କହିଛନ୍ତି ଯେ, "ଜର୍ମାନୀର ରାଜଧାନୀକୁ ଆସି ମୁଁ ନିଜ ବିଷୟରେ କିମ୍ବା ମୋଦି ସରକାରଙ୍କ ବିଷୟରେ କହିବାକୁ ଚାହୁଁନି । ମୁଁ କୋଟିକୋଟି ଭାରତୀୟଙ୍କ କ୍ଷମତା ବିଷୟରେ କହିବାକୁ ଆସିଛି । ଯେତେବେଳେ ମୁଁ ଭାରତୀୟଙ୍କ କଥା କହୁଛି ସେତେବେଳେ କେବଳ ଯେଉଁମାନେ ଦେଶରେ ରହୁଛନ୍ତି ସେମାନଙ୍କୁ ବୁଝାଉନାହିଁ, ବରଂ ଏଠାରେ ଯେଉଁମାନେ ରହୁଛନ୍ତି ସେମାନଙ୍କୁ ମଧ୍ୟ ବୁଝାଉଛି । ୨୦୧୪ ପୂର୍ବରୁ ୩୦ ବର୍ଷ ହେଲା କୌଣସି ପୂର୍ଣ୍ଣ ବହୁମତ ସରକାର ନଥିଲା । କିନ୍ତୁ ୨୦୧୪ରେ ତାହା ଭାରତୀୟମାନେ କରି ଦେଖାଇଛନ୍ତି ।"
ମୋଦି ନିଜ ଭାଷଣରେ କହିଛନ୍ତି ଯେ, "ଦେଶରେ ରାଜନୈତିକ ସଂସ୍କାର ପାଇଁ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ଭାରତୀୟଙ୍କ ପାଖରେ ତାହା ଭରପୁର ରହିଛି । ଆଜି ଭାରତ ସମସ୍ତ କ୍ଷେତ୍ରରେ ଆଗୁଆ ରହିଛି । ଭାରତୀୟଙ୍କ ଜୀବନଶୈଳୀ, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଉନ୍ନତମାନର । ଆମର ସରକାରୀ ଅଧିକାରୀ ଓ ବ୍ୟୁରୋକ୍ରାସୀ ମଧ୍ୟର କୌଣସି ପାର୍ଥକ୍ୟ ନାହିଁ, ଯାହାର ଫଳାଫଳ ଆମେ ଖୁବଶୀଘ୍ର ପାଇବାକୁ ଯାଉଛୁ ।"
ଭାଷଣ ଆଳରେ କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ମୋଦି । "ବିଜେପି ସରକାର କାଳରେ ଦେଶର ଜନତାଙ୍କୁ ସବୁଠାରୁ ଅଧିକ ଲାଭ ମିଳିଛି । କେଉଁ ଅଧିକାରରେ ସେମାନେ ଟଙ୍କାଏରେ ୮୫ ପଇସା ନେଇ ଯାଉଥିଲେ ?" ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏକ ଉକ୍ତିକୁ ଟାର୍ଗେଟ କରି ଏହା କହିଥିଲେ ମୋଦି । ରାଜୀବ ଗାନ୍ଧୀ କହିଥିଲେ ଯେ, "ଦେଶ ଯେତେ ଉପାର୍ଜନ କରୁଛି ତାହାର କିଞ୍ଚିତ ଅଂଶ ମାତ୍ର ଜନସାଧାରଣଙ୍କ ପାଖରେ ପହଞ୍ଚୁଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ