ନୂଆଦିଲ୍ଲୀ: ସାମୁଦ୍ରିକ ଭାରତ ସମ୍ମଳନୀ-2021କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇ-ବୁକ ମେରିଟାଇମ ଇଣ୍ଡିଆ ଭିଜନ 2030 ଜାରି କରିଛନ୍ତି। ଏହାସହ ସାଗର ମନ୍ଥନ ମର୍କେନଟାଇଲ ମେରୀଟାଇମ ଡୋମେନ ଆୱାରନେସ ସେଣ୍ଟରର ଶୁଭାରମ୍ଭ କରିଛନ୍ତି।
ଉଦଘାଟନୀ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଏହି ସମ୍ମିଳନୀ ସାମୁଦ୍ରିକ ଅର୍ଥ ବ୍ୟବସ୍ଥାକୁ ବୃଦ୍ଧି କରିବାରେ ବଡ ସଫଳତା ହାସିଲ କରିବ। 2030 ବେଳକୁ ଦେଶର 23 ଟି ଜଳମାର୍ଗକୁ ପରିଚାଳିତ କରିବାକୁ ଉଦ୍ଦେଶ୍ୟ ରହିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମ ଦେଶର ଉପକୂଳରେ ଥିବା 189 ଟି ଲାଇଟ ହାଉସ ମଧ୍ୟରୁ 78ଟି କୁ ପର୍ଯ୍ୟଟନ କ୍ଷେତ୍ରରେ ବିକଶିତ କରିବାକୁ ଯୋଜନା ରହିଛି।’
ମୋଦି ଆହୁରି କହିଛନ୍ତି ଯେ, ‘ସରକାର ଘରୋଇ ଭାବେ ଜଳପୋତ ନିର୍ମାଣ ସୁବିଧା ପ୍ରସ୍ତୁତ କରିବା ଓ ଏହାର ଓ୍ବାର୍କ ଷ୍ଟେସନ ଉପରେ ଧ୍ୟାନ ଦିଆଯାଉଛି। ଏହା ଦ୍ବାରା ଜଳପୋତ ନିର୍ମାଣ କାରଖାନା ଗୁଡିକୁ ଆର୍ଥିକ ସହାୟତା ଉପଲବ୍ଧ କରାଯିବ।’
ସେହିପରି 2035 ସୁଦ୍ଧା ଦେଶର ସାମୁଦ୍ରିକ ପରିବହନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପରେ 82 ବିଲିୟନ ଡଲାର ବିନିଯୋଗ ହେବ। ବନ୍ଦରଗୁଡିକର ବିକାଶ ସହିତ ଜଳପଥଗୁଡିକର ବିକାଶ ତଥା ଲାଇଟହାଉସ ଚାରିପାଖରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ସାମୁଦ୍ରିକ ପରିବହନ କ୍ଷେତ୍ରରେ ଆୟୋଜିତ ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ବିଶ୍ୱ ବନ୍ଦର ନିବେଶକମାନଙ୍କୁ ଭାରତୀୟ ବନ୍ଦର, ଜାହାଜ ଏବଂ ଜଳପଥରେ ବିନିଯୋଗ କରିବାକୁ ଆମନ୍ତ୍ରଣ କରିଛନ୍ତି ।
ମୋଦି କହିଛନ୍ତି ଯେ ସାଗରମାଳା ପ୍ରକଳ୍ପ ଅଧୀନରେ 574 ରୁ ଅଧିକ ପ୍ରକଳ୍ପ ଚିହ୍ନଟ କରାଯାଇଛି। ଏହାର ମୂଲ୍ୟ 82 ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପଗୁଡିକ ଉପରେ କାର୍ଯ୍ୟ 2015 ରୁ 2035 ମଧ୍ୟରେ ଶେଷ ହେବ । ଆସନ୍ତା 10 ବର୍ଷ ମଧ୍ୟରେ ଦେଶରେ 23ଟି ଜଳପଥ କାର୍ଯ୍ୟକ୍ଷମ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ।
ଆଜିଠୁ 4 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ । ବନ୍ଦର ପରିବହନ ଓ ଜଳପଥ ମନ୍ତ୍ରଣାଳୟ ଦ୍ବାରା ଭର୍ଚୁଆଲ ପ୍ଲାଟଫର୍ମରେ ଚାଲିଛି ଏହି କାର୍ଯ୍ୟକ୍ରମ । ଏହା ଆସନ୍ତା ଦଶନ୍ଧି ପାଇଁ ଭାରତ ସାମୁଦ୍ରିକ ବିଭାଗରେ ଏକ ରୋଡମ୍ୟାପ ସୃଷ୍ଟି କରିବ । ଏହା ସହିତ ସାମୁଦ୍ରିକ କ୍ଷେତ୍ରରେ ଭାରତକୁ ବିଶ୍ବ ସ୍ତରରେ ଆଗରେ ପହଞ୍ଚାଇବାକୁ କାର୍ଯ୍ୟ କରିବ।
ଏହି ସମ୍ମିଳନୀରେ ବିଭିନ୍ନ ଦେଶର ବିଶିଷ୍ଟ ବକ୍ତା ମାନେ ଯୋଗଦେଇ ଭାରତୀୟ ସାମୁଦ୍ରିକ ଡୋମେନରେ ସମ୍ଭାବ୍ୟ ବ୍ୟବସାୟ ସୁଯୋଗ ଏବଂ ନିବେଶ ଅନୁସନ୍ଧାନ କରିବେ ବୋଲି ଆଶା କରାଯାଉଛି। ଏହି 3 ଦିନିଆ ସମ୍ମିଳନୀରେ ଏହାର ଅଂଶୀଦାର ଦେଶ ରହିଛି ଡେନମାର୍କ।