ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ଉତ୍ତର ରଖିବା ବେଳେ କଂଗ୍ରେସକୁ ତୀକ୍ଷ୍ଣ ଆକ୍ରମଣ କରିଥିଲେ । ତେବେ କଂଗ୍ରେସ ମଧ୍ୟ ଆଜି ଏହି ପ୍ରସଙ୍ଗରେ କାଉଣ୍ଟର ମୋଡକୁ ଆସିଛି । ରାଜ୍ୟ ସଭାରେ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରକୁ ନେଇ ସମାଲୋଚନା କରିବା ସହ ସେ ସଂସଦରେ ଉତ୍ତର ରଖିବାର ମର୍ଯ୍ୟାଦା ଭୁଲି ସାରିଛନ୍ତି ବୋଲି କହିଛନ୍ତି ।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ଖାଡ୍ଗେ କହିଛନ୍ତି, ରାହୁଲ ଗାନ୍ଧୀ ଦେଶର ବର୍ତ୍ତମାନ ସ୍ଥିତି, ମୁଦ୍ରାସ୍ଫୀତି, ବେକାରୀ, ଚୀନର ଆକ୍ରୋଶ, ମୋଦି ସରକାରର ବୈଦେଶିକ ନୀତିର ତ୍ରୁଟି ଏବଂ କେନ୍ଦ୍ର ସରକାରଙ୍କ ଅବ୍ୟବସ୍ଥାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ତେବେ ଦେଶର ପ୍ରକୃତ ପ୍ରସଙ୍ଗ ଓ ନିଜ ସରକାରର ଭୁଲ ନିଷ୍ପତ୍ତିରୁ ନଜର ହଟାଇବା ପାଇଁ ମୋଦି ନିଜର ଅଭିଭାଷଣରେ କଂଗ୍ରେସକୁ ଦୋଷାରୋପ କରି ଟାର୍ଗେଟ କରିଛନ୍ତି ।
ଆହୁରି ମଧ୍ୟ ଖଡ୍ଗେ କହିଛନ୍ତି, ମୋଦି ରାଜନୈତିକ ଲାଭ ପାଇଁ ମଧ୍ୟ ସଂସଦୀୟ ପ୍ଲାଟଫର୍ମର ବ୍ୟବହାର କରିଛନ୍ତି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନିକଟବର୍ତ୍ତୀ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ମାଧ୍ୟମରେ ରାଜନୈତିକ ଆକ୍ରୋଶ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ରାଜନୀତି ବ୍ୟତୀତ ଦେଶର ପ୍ରଗତି ସମ୍ପର୍କିତ ଗୋଟିଏ ଧାଡି ନଥିଲା ବୋଲି କହିଛନ୍ତି ଖାଡ୍ଗେ ।
କୋଭିଡ ପ୍ରଥମ ଲହର ସମୟରେ ଶ୍ରମିକଙ୍କୁ ଟିକେଟ୍ ଦେଇ କଂଗ୍ରେସ ସାରା ଦେଶରେ ପ୍ରବାସୀ ଶ୍ରମିକ ସଙ୍କଟ ସୃଷ୍ଟି କରିଥିବା କହିଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ବିବୃତ୍ତିରେ ପ୍ରତିକ୍ରିୟା ରଖି ଖାଡ୍ଗେ କହିଛନ୍ତି ଯେ ସରକାରଙ୍କ ଦ୍ବାରା ପ୍ରଦତ୍ତ ରିପୋର୍ଟରେ କୁହାଯାଇଛି ଯେ ଗୁଜରାଟ ସର୍ବାଧିକ ସଂଖ୍ୟକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟଙ୍କୁ ପଠାଇଛି । ତେବେ ଏପରି କରି ଗୁଜୁରାଟରେ ଶାସନରେ ଥିବା ବିଜେପି କଣ ଦେଶର କୋଭିଡ ସଂକ୍ରମଣ ବୃଦ୍ଧି କରିଛି ବୋଲି କୁହାଯାଇ ପାରିବ କି, ପ୍ରଶ୍ନ କରିଛନ୍ତି ଖାଡ୍ଗେ ।
ପ୍ରଥମ ଲହର ସମୟରେ ସୃଷ୍ଟି ହୋଇଥିବା ପ୍ରବାସୀ ଶ୍ରମିକ ସଙ୍କଟକୁ ନେଇ ଖାଡ୍ଗେ କହିଛନ୍ତି, କେନ୍ଦ୍ର ସରକାରଙ୍କ ହଠାତ ଦେଶବ୍ୟାପୀ ଲକଡାଉନ ଘୋଷଣା କରିବା ଭୟଙ୍କର ନିଷ୍ପତ୍ତି ଥିଲା । କୌଣସି ପୂର୍ବ ପ୍ରସ୍ତୁତି ନକରି ହଠାତ ଏପରି ନିଷ୍ପତ୍ତି ନେବା ଫଳରେ ଦେଶରେ ଏପରି ଉତ୍କଟ ଶ୍ରମିକ ସଙ୍କଟ ଦେଖାଗଲା ଓ ଯାହାର ଶିକାର ଶ୍ରମିକମାନେ ହେଲେ ବୋଲି ଖାଡ୍ଗେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ