ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଜି କିଶନ ରେଡ୍ଡୀ ଓ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ସଞ୍ଜୟ ବଣ୍ଡି(Sanjay Bandi) ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାରକୁ କଡା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏ ଯାଏଁ ତାଙ୍କ ସହ ସାକ୍ଷାତ କରିନାହାନ୍ତି । ଏପରିକି ପୂର୍ବଥର ପରି ଏଥର ମଧ୍ୟ କାର୍ଯ୍ୟକ୍ରମର ଆଳ ଦେଖାଇ ମୋଦିଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚି ନଥିଲେ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଗୋୟଲ କହିଛନ୍ତି, ''କେସିଆରଙ୍କ ପରିବାର ନିକଟରେ ଏତିକି ବି ଶିଷ୍ଟାଚାର ନାହିଁ ଯେ, ଦେଶର ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଆସିଛନ୍ତି, ତାଙ୍କୁ ଯାଇ ଭେଟିବା । କେସିଆର ଯେ ମୋଦିଙ୍କୁ ଭୟ କରୁଛନ୍ତି, ତାହା ଏଥିରୁ ଜଳ ଜଳ ହୋଇ ଦିଶୁଛି ।''
ବାଣିଜ୍ୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ''ଯୁବଶକ୍ତି ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ନିଜର ପ୍ରାଣ ବଳି ଦେଇଥିଲେ । ଦୀର୍ଘ ଦିନର ସଂଘର୍ଷ ପରେ ଏଭଳି ରାଜ୍ୟ ଗଠନ ହୋଇଥିଲା । ଏଥିରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା । କିନ୍ତୁ ୮ ବର୍ଷ ଭିତରେ ଟିଆରଏସ ସରକାର ଏହାକୁ ଶେଷ କରିଦେଇଛନ୍ତି । କୃଷକ ଠାରୁ ନେଇ ଦଳିତ, ଶୋଷିତ ସବୁବର୍ଗର ଲୋକଙ୍କୁ ନୂଆ ରାଜ୍ୟ ଠାରୁ ଅନେକ କିଛି ଆଶା ରହିଥିଲା । ହେଲେ ଟିଆରଏସ ସରକାର ତେଲେଙ୍ଗାନାବାସୀଙ୍କୁ ଠକି ଦେଇଛନ୍ତି । ଏଣୁ ବର୍ତ୍ତମାନ ତେଲେଙ୍ଗାନା ଲୋକେ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି ।''