ନୂଆଦିଲ୍ଲୀ: କୋରୋନାକୁ ମାତ ଦେବାକୁ ବିଶ୍ବରେ ଚାଲିଛି ଟୀକାକରଣ । ଏହାରି ମଧ୍ୟରେ ଫାଇଜର ଓ ମଡର୍ଣ୍ଣାର କୋଭିଡ ଭ୍ୟାକ୍ସିନ କାରଣରୁ ପ୍ରଜନନ କ୍ଷମତା ହ୍ରାସ ପାଉଥିବା ପ୍ରଚାର ହୋଇଥିଲା ଖବର । ଏହାକୁ ନେଇ କରାଯାଇଥଲା ଅଧ୍ୟୟନ । ଆଉ ଏବେ ସାମ୍ନାକୁ ଆସିଛି ଏହି ଅଧ୍ୟୟନର ରିପୋର୍ଟ ।
ଅଧ୍ୟୟନରୁ ଜଣାପଡିଛି ଯେ ଲୋକଙ୍କୁ ଟିକାର ଦୁଇଟି ଡୋଜ ଦିଆଯିବା ପରେ ପୁରୁଷଙ୍କ ଶୁକ୍ରାଣୁ ଉପରେ ପଡୁନାହିଁ କୌଣସି ପ୍ରଭାବ । ଫାଇଜର ଓ ମଡର୍ଣ୍ଣାର କୋଭିଡ ଟିକାରୁ ପୁରୁଷଙ୍କ ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚୁନଥିବା ଦାବିକୁ ନେଇ କରାଯାଇଥିବା ଅଧ୍ୟୟନରେ ଜଣାପଡିଛି ଯେ ଭ୍ୟାକ୍ସିନର 2ଟି ଡୋଜ ନେବା ପରେ ମଧ୍ୟ ଶୁକ୍ରାଣୁ ସ୍ତରରେ କୌଣସି ପ୍ରଭାବ ପଡୁନାହିଁ ।
ପ୍ରକାଶିତ ଅଧ୍ୟୟନରେ 18ରୁ 50 ବର୍ଷର 45 ଜଣ ସୁସ୍ଥ ଲୋକଙ୍କୁ ସାମିଲ କରାଯାଇଥିଲା । ଏମାନଙ୍କୁ ଲାଗିସାରିଥିଲା ଫାଇଜର ଓ ମଡର୍ଣ୍ଣା ଟିକାର 2ଟି ଡୋଜ । ତେବେ ଏମାନଙ୍କ ପ୍ରଜନନ କ୍ଷମତାରେ କୌଣସି ହ୍ରାସ ପରିଲକ୍ଷିତ ହୋଇନଥିବା ଯାଞ୍ଚରୁ ଜଣାପଡିଛି ।
90 ଦିନ ପୂର୍ବରୁ କୋରୋନା ଲକ୍ଷଣ ଥିବା କିମ୍ବା ଏଥିରେ ଆକ୍ରାନ୍ତ ଲୋକଙ୍କୁ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ | ଏଥିରେ ପୁରୁଷମାନଙ୍କୁ ପ୍ରଥମ ଟିକା ଦେବା ପୂର୍ବରୁ ଶୁକ୍ରାଣୁ ନମୁନା ନିଆଯାଥିଲା ଏବଂ ଦ୍ବିତୀୟ ଡୋଜର ପ୍ରାୟ 70 ଦିନ ପରେ ନମୁନା ନିଆଯାଇଥିଲା । ବିଶେଷଜ୍ଞମାନେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁଯାୟୀ ବିଭିନ୍ନ ପାରାମିଟରରେ ଶୁକ୍ରାଣୁ ପରୀକ୍ଷା କରିଥିଲେ।