ପାଟନା: ବିହାର ରାଜନୀତିରେ କୁହୁଳୁଛି କଳହର ନିଆଁ । ଗତ 4 ଦିନରୁ ଚାଲିଆସୁଥିବା ବିବାଦ ମଧ୍ୟରେ ଏଲଜେପିର ବିଦ୍ରୋହୀ ଗୋଷ୍ଠୀ ପଶୁପତି ପାରସଙ୍କୁ ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିଛନ୍ତି ।
ଏଲଜେପି ନେତା ସୁରଜଭାନ ସିଂହଙ୍କ ଘରେ ଦଳର ରାଷ୍ଟ୍ରୀୟ ପରିଷଦ ବୈଠକ ଡକାଇଥିଲେ । ବୈଠକରେ ଅଧ୍ୟକ୍ଷ ପଦରେ ନିର୍ବାଚନ କରାଯାଇଥିଲା । ଆଉ ଏଥିରେ କେବଳ ପଶୁପତି ପାରସ ଦାଖଲ କରିଥିଲେ ନାମାଙ୍କନ । ନିର୍ଦ୍ବନ୍ଦରେ ପଶୁପତିଙ୍କୁ ଦଳର ନୂଆ ଅଧ୍ୟକ୍ଷ ଚୟନ କରାଯାଇଛି । ଏହି ସମୟରେ ବିଦ୍ରୋହୀ ଗୋଷ୍ଠୀର ସମସ୍ତ ନେତା ଉପସ୍ଥିତ ଥିଲେ ।
ଦଳର ଅଧ୍ୟକ୍ଷ ପଦକୁ ନେଇ ଚିରାଗ ପାସୱାନ ଏବଂ ଦାଦା ପାଶୁପତି ପରାସଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ପାଶୁପତି ପାରସ ଦଳର ପାଞ୍ଚ ଜଣ ସାଂସଦଙ୍କୁ ନିଜ ପକ୍ଷକୁ ନେଇ ପାର୍ଟି କମାଣ୍ଡକୁ ନିଜ ହାତକୁ ନେବାକୁ ଚେଷ୍ଟା କରିଥିଲେ । ତେବେ ଚିରାଗ ମଧ୍ୟ ନିଜ ପଦ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ।
ଏଭଳି ପରିସ୍ଥିତିରେ ପାଶୁପତି ପାରସ ବୁଧବାର ପାଟନାରେ ପହଞ୍ଚିଥିଲେ ଏବଂ ଗୁରୁବାର ଏକ ବୈଠକ ଡକାଯାଇଥିଲା ଯେଉଁଥିରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ତେବେ ଚିରାଗଙ୍କ ଭାଇ ସାଂସଦ ପ୍ରିନ୍ସ ଏହି ବୈଠକରେ ଯୋଗ ଦେଇନଥିଲେ।
ରାଜନୈତିକ କରିଡରରେ ଏଭଳି ଏକ ଆଲୋଚନା ହେଉଛି ଯେ ଗତ କିଛି ମାସ ଧରି ପାଶୁପତି ପାରସ ଗାଦି ଅକ୍ତିଆର କରିବାକୁ ଚେଷ୍ଟା କରୁଥିଲେ । ଚିରାଗ ନିଜେ ମଧ୍ୟ ଏହି ସତ୍ୟକୁ ଗ୍ରହଣ କରିଛନ୍ତି। ସେ ତାଙ୍କ ଦାଦା ପଶୁପତି ପାରସଙ୍କ ଉପରେ ଧୋକା ଦେବାର ଅଭିଯୋଗ ଲଗାଇଛନ୍ତି ।
ସାଂସଦ ପାଶୁପତି ପାରସ କହିଛନ୍ତି ଯେ ସେ ଦଳ ଭାଙ୍ଗି ନାହାଁନ୍ତି, ବରଂ ଏହାକୁ ବଞ୍ଚାଇଛନ୍ତି । ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳର ଅସ୍ତିତ୍ବ ଧୀରେ ଧୀରେ ଶେଷ ହେବାକୁ ଲାଗିଲା । ଏଭଳି ପରିସ୍ଥିତିରେ ରାମ ବିଳାସ ପାସୱାନଙ୍କ ପାର୍ଟି ଏବଂ ତାଙ୍କ ବିଚାରଧାରାକୁ ବଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।