ନୂଆଦିଲ୍ଲୀ: ବିଶ୍ବ ଦରବାରରେ ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଟିମ୍ଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦେଶ ପାଇଁ ଆଣିଛି ଗୌରବ । ଏବେ ଦେଶବାସୀଙ୍କ ହାର୍ଟବିଟ୍ରେ ସ୍ପନ୍ଦିତ ହେଉଛି ହକି ପ୍ରେମ । ଆଉ ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମଧ୍ୟ ହକିକୁ ହୃଦୟ ଦେଇ ସାଉଁଟିଛନ୍ତି ପ୍ରଶଂସା ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ସଂସଦୀୟ ସ୍ଥାୟୀ କମିଟି । ଶିକ୍ଷା, ମହିଳା, ଶିଶୁ, କ୍ରୀଡା ଏବଂ ଯୁବ ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟି ଏକ ପ୍ରେସ ବିଜ୍ଞପ୍ତିରେ ଭାରତର ପୁରୁଷ ଓ ମହିଳା ହକି ଦଳର ଉତ୍କୃଷ୍ଟ ପ୍ରଦର୍ଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ସଂସଦୀୟ କମିଟି ଏହାର ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛି ଯେ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା ତଥା ୨୦୧୮ରୁ ଉଭୟ ପୁରୁଷ ଏବଂ ମହିଳା ହକି ଦଳକୁ ପ୍ରାୟୋଜିତ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାର ପାତ୍ର ।
ଦୀର୍ଘ ୪ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଶେଷରେ ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତୀୟ ପୁରୁଷ ହକିଦଳ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲା । ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ମହିଳା ହକି ଟିମ୍ ମଧ୍ୟ ମ୍ୟାଚ ଗ୍ରେଟ ବ୍ରିଟେନଠାରୁ ପରାଜୟ ସତ୍ତ୍ବେ ଜିତିଛନ୍ତି ହୃଦୟ ।
ହକି ଦଳର ଉତ୍କୃଷ୍ଠ ପ୍ରଦର୍ଶନ ପରେ ସଭିଁଙ୍କ ମୁଖରେ ନବୀନଙ୍କ ଗୁଣଗାନ । ଏହାର କାରଣ ହେଉଛି ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ସାଜିଛି ଓଡ଼ିଶା । ଏହାକୁ ନେଇ ସଂସଦରେ ଓଡିଶା ଓ ନବୀନଙ୍କୁ କରାଯାଇଛି ପ୍ରଶଂସା ।