ନୂଆଦିଲ୍ଲୀ: ଅଗଷ୍ଟ ୩୧, ଯେତେବେଳେ ବିରୋଧୀ ମହାମେଣ୍ଟ I.N.D.I.A ନେତାମାନେ ମୁମ୍ବାଇରେ ଏକଜୁଟ ହେଉଥିଲେ ଏବଂ ଅନ୍ୟମାନେ ରକ୍ଷା ବନ୍ଧନ ଉତ୍ସବ ମନାଉଥିଲେ, ଏତିକି ବେଳେ ହଠାତ୍ ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ଘୋଷଣା କରିଥିଲେ କେନ୍ଦ୍ର ସରକାର । ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ସ୍ବତନ୍ତ୍ର ଅଧିବେଶନରେ ୫ଟି ବୈଠକ ବସିବ ଏବଂ ଅମୃତକାଳ ମଧ୍ୟରେ ହେଉଥିବା ଏହି ଅଧିବେଶନରେ ଫଳପ୍ରଦ ଆଲୋଚନା ହେବ ବୋଲି ଆଶା ରହିଛି । ତେବେ ସରକାର ଏହି ୫ ଦିନିଆ ଅଧିବେଶନ ଡାକିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।
ଅତର୍କିତ ଭାବେ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯିବା କିଛି ନୁହେଁ କଥା ନୁହେଁ । ଏହା ଅସ୍ବାଭିବକ ସତ, କିନ୍ତୁ ଅସାମ୍ବିଧାନିକ ନୁହେଁ । ଭାରତୀୟ ସମ୍ବିଧାନର ଧାରା ୮୫ରେ କୁହାଯାଇଛି କି ରାଷ୍ଟ୍ରପତି ସମୟ ସମୟରେ ସଂସଦର ପ୍ରତ୍ୟେକ ସଦନକୁ ଏମିତି ସମୟ ଏବଂ ସ୍ଥାନରେ ବୈଠକ ପାଇଁ ଡକାଇପାରିବେ, ଯାହା ସେ ଉଚିତ୍ ଭାବିବେ । ହେଲେ ଏଥିପାଇଁ ଗୋଟିଏ ଅଧିବେଶନର ଶେଷ ବୈଠକ ଓ ଆଗାମୀ ଅଧିବେଶନର ପ୍ରଥମ ବୈଠକ ମଧ୍ୟରେ ୬ ମାସର ବ୍ୟବଧାନ ନରହିବା ଆବଶ୍ୟକ । ଯେହେତୁ ନିକଟରେ ମୌସୁମୀ ଅଧିବେଶନ ଶେଷ ହୋଇଛି, ତେଣୁ ଏ କ୍ଷେତ୍ରରେ ସମୟ ଅନ୍ତରାଳ ନେଇ କୌଣସି ପ୍ରକାର ସମସ୍ୟା ନାହିଁ ।
ସେହିପରି ସମ୍ବିଧାନରେ ବର୍ଷକ ଭିତରେ କେବଳ ଯେ ତିନି ଥର ଯଥା, ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ବସିବ, ସେମିତି କିଛି ପ୍ରାବଧାନ ନାହିଁ । ସମ୍ବିଧାନର ୩୫୨ ଧାରା ଅନୁଯାୟୀ, ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ପରିପ୍ରକ୍ଷୀରେ ଲୋକସଭାର ଏକ ସ୍ବତନ୍ତ୍ର ବୈଠକ ଡକାଯିବାର ପ୍ରାବଧାନ ରହିଛି, ଯାହାକି ଏଠାରେ ପ୍ରାସଙ୍ଗିକ ନୁହେଁ । ଅତୀତରେ ସରକାର ସ୍ବତନ୍ତ୍ର ଅଧିବେଶନ ଡାକିବାର ଅନେକ ନିଜର ରହିଛି ।
ଜାଣନ୍ତୁ କେବେ ଡକାଯାଇଛି ସ୍ବତନ୍ତ୍ର ଅଧିବେଶନ:
୧୯୬୨ରେ ଭାରତ-ଚୀନ ଯୁଦ୍ଧ ସ୍ଥିତି ଉପରେ ଚର୍ଚ୍ଚା କରିବାକୁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନିର୍ଦ୍ଦେଶରେ ନଭେମ୍ବର ୮ରୁ ୯ ଯାଏଁ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା । ୨୦୧୫ ନଭେମ୍ବର ୨୬-୨୭ରେ ସମ୍ବିଧାନ ପ୍ରଣେତା ଡଃ ବି. ଆର. ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରବାକୁ ସ୍ବତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା । ସେହିବର୍ଷ ଭାରତ ସରକାର ଆମ୍ବେଦକରଙ୍କ ବିଚାରଧାରା ସମ୍ପର୍କରେ ଜନସଚେତନତା ପ୍ରସାର ପାଇଁ ୨୬ ନଭେମ୍ବରକୁ 'ସମ୍ବିଧାନ ଦିବସ' ରୂପେ ଘୋଷଣା କରିଥିଲେ ।
୧୯୯୭ ମସିହାରେ ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୧ ଯାଏଁ ୬ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା । ମୋଦି ସରକାରଙ୍କ ପ୍ରଥମ ପାଳିରେ ଦେଶରେ ଦ୍ରବ ଓ ସେବା କର(ଜିଏସଟି) ଲାଗୁ କରିବା ପାଇଁ ୨୦୧୭ ଜୁଲାଇ ୧ରେ ସଂସଦର ସ୍ବତନ୍ତ୍ର ଅଧିବଶନ ଅନୁଷ୍ଠିତ ହୋଇଥିଲା । ଭାରତ ଛାଡ ଆନ୍ଦୋଳନର ୫୦ ବର୍ଷ ପୂର୍ତ୍ତ ଉତ୍ସବ ପାଇଁ ୧୯୯୨ ଅଗଷ୍ଟ ୯ ତାରିଖରେ ଏବଂ ସ୍ବାଧୀନତା ଦିବସରେ ରୌପ୍ୟ ଜୟନ୍ତୀ ପାଳନ ପାଇଁ ୧୯୭୨ ମସିହାରେ ଉତ୍ସବ ଅଧିବେଶନର ଆୟୋଜିତ ହୋଇଥିଲା ।
ଆସନ୍ତା ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଏ ସମ୍ପର୍କରେ ଖୁବଶୀଘ୍ର ସୂଚନା ଦିଆଯିବ । ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକରା ବିରୋଧୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଛି କହିବା ବାହୁଲ୍ୟ । କାରଣ ବିରୋଧୀ ୨୦୨୪ ଲୋକସଭା ନିର୍ବାଚନ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗରେ ନିଜର ରଣନୀତି ମଜବୁତ କରିବା ପାଇଁ ବୈଠକ କରୁଥିବା ସମୟରେ ଏହି ଅଧିବେଶନ ଡକାଯାଇଛି । ଅନୁମାନ କରାଯାଉଛି ଯେ, ସରକାର ସ୍ବତନ୍ତ୍ର ଅଧିବେଶନରେ ମହିଳାଙ୍କ ପାଇଁ ସଂରକ୍ଷଣ ଓ ୟୁନିଫର୍ମ ସିଭିଲ କୋର୍ଡ ଭଳି କିଛି ବିବାଦୀୟ ଆଇନକୁ ଆଗକୁ ବଢାଇବାକୁ ଚେଷ୍ଟା କରିପାରନ୍ତି ।
ଏପରି ସ୍ଥଳେ ଦେଶରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ବିଭିନ୍ନ ଦିଗ ଉପରେ ପର୍ଯ୍ୟାଲୋଚନା କରିବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ କମିଟି ଘୋଷଣା ହେବା ପରେ ଏନେଇ ସରକାର ବିଲ୍ ଆଣିପାରନ୍ତି ଚର୍ଚ୍ଚା ବର୍ତ୍ତମାନ ସମୟରେ ସବୁଠୁ ଆଗରେ ରହିଛି । ତେବେ ଏହା କହିବା ଯେତିକି ସହଜ, କରିବା ସେତିକି ନୁହେଁ । ଏହି ପ୍ରସଙ୍ଗରେ ୧୯୮୩ ମସିହାରୁ ସମୟ ସମୟରେ ବିଚାର ବିମର୍ଶ କରାଯାଉଛି । ଏହି ବ୍ୟବସ୍ଥା ଲାଗୁ କରିବାକୁ ହେଲେ ବିଭିନ୍ନ ନିୟମ କାନୁନରେ ବ୍ୟାପକ ସଂଶୋଧନ କରାଯିବାର ଆବଶ୍ୟତକା ପଡିବ । ଯଦିଓ ଏହା ଅସମ୍ଭବ ନୁହେଁ କିନ୍ତୁ ଅତ୍ୟନ୍ତ କଷ୍ଟକର ବ୍ୟାପାର ଅଟେ ।
ତେବେ ଏକକ ନିର୍ବାଚନ କ୍ଷେତ୍ରରେ ରାଜନୈତିକ ସର୍ବସମ୍ମତି ସବୁଠୁ ବଡ ବାଧକ ସାଜିବ । କିଛି ରାଜ୍ୟର ସରକାରଙ୍କୁ ନିଜ ବିଧାନସଭା ସର୍ତ୍ତାବଳୀ କମ୍ କରିବାକୁ ଏବଂ ନିଜର ଆଞ୍ଚଳିକ ପରିଚୟ ତ୍ୟାଗ କରିବା ପାଇଁ ସହମତ ହେବାକୁ ପଡିବ । କହିରଖୁଛୁ କି, ଅନ୍ତର୍ଜାତୀୟ ସ୍ତରରେ ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ହଙ୍ଗେରୀ, ଇଣ୍ଡୋନେସିଆ, ପୋଲାଣ୍ଡ, ସାଉଥ ଆଫ୍ରିକା, ସ୍ପେନ, ୟୁକେ ଭଲି କିଛି ଦେଶରେ ଏକକ ନିର୍ବାଚନ ବ୍ୟବସ୍ଥା ପ୍ରଚଳିତ ରହିଛି । ତେବେ ସଂସଦର ଏହି ୫ ଦିନିଆ ସ୍ବତନ୍ତ୍ର ଅଧିବେଶନରେ ପ୍ରକୃତରେ କ'ଣ ଘଟିବ ତାହା ସମୟ କହିବ ।
ଏହା ମଧ୍ୟ ପଢନ୍ତୁ: Parliament Special Session: କେନ୍ଦ୍ର ସରକାର ଆଣିପାରନ୍ତି ୱାନ ନେସନ ୱାନ ଇଲେକ୍ସନ ବିଲ