ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ଅନ୍ତିମ ଦିନରେ ୩ଟି ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଲ୍ର ମୂଳ ଉଦ୍ଦେଶ୍ୟ ରହିବ 'ଦଣ୍ଡ ବଦଳରେ ନ୍ୟାୟ ଦେବା' । ବ୍ରିଟିଶ ଅମଳରୁ ଲାଗୁ ହୋଇ ଆସୁଥିବା ଆଇନକୁ ଉଚ୍ଛେଦ କରାଯିବ । ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା ଏହି ଆଇନକୁ ନେଇ ବିଗତ ଦିନରେ ବିବାଦ ଲାଗି ରହୁଥିଲା । ବିରୋଧୀ ଦଳ ଏହାକୁ ଉଚ୍ଛେଦ ଲାଗି ମଧ୍ୟ ଦାବି କରିଆସୁଥିଲେ । ତେବେ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ୩ଟି ବିଲ୍ ଆଗତ ହୋଇଥିବା ବେଳେ ସଂଶୋଧନ ଲାଗି ଷ୍ଟାଣ୍ଡିଂ କମିଟିକୁ ପଠାଯାଇଛି ।
୩ ଆଇନକୁ ହେବ ଉଚ୍ଛେଦ:- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ୩ଟି ବିଲ୍ ଭାରତୀୟ ଦଣ୍ଡ ବିଧାନ ପ୍ରକ୍ରିୟାରେ ସୁଧାର ଆଣିବ । ଏହାସହ ବ୍ରିଟିଶମାନେ ଆଗତ କରିଥିବା ବିଲ୍କୁ ଉଚ୍ଛେଦ କରାଯିବ । ୧୮୬୦ ମସିହାରେ ବ୍ରିଟିଶମାନଙ୍କ ଦ୍ବାରା ସଂସଦରେ ପାରିତ ହୋଇଥିବା ଇଣ୍ଡିଆନ ପେନାଲ କୋଡ (IPC), ୧୮୯୮ ମସିହାରେ ପାରିତ ହୋଇଥିବା କ୍ରିମିନାଲ ପ୍ରୋସିଜର କୋଡ୍ (CrPC) ଓ ୧୮୭୨ ମସିହାରେ ପାରିତ ହୋଇଥିବା ଇଣ୍ଡିଆନ ଏଭିଡେନ୍ସ ଆକ୍ଟକୁ ଉଚ୍ଛେଦ କରାଯିବ । ଭାରତୀୟ ଦଣ୍ଡ ସଂହିତା (IPC) ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, CrPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ବିଲ୍ ୨୦୨୩ ଆଗତ କରାଯାଇଛି ।
'ଆଇନର ଉଦ୍ଦେଶ୍ୟ ସମସ୍ତଙ୍କୁ ନ୍ୟାୟ ଦେବା':- ଗୃହରେ ବିଲ୍ ଆଗତ କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଏହି ୩ଟି ଆଇନ ବ୍ରିଟିଶ ଶାସନକୁ ମଜଭୁତ କରିବା ଲାଗି ଆଗତ ହୋଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଦଣ୍ଡ ଦେବା, ନ୍ୟାୟ ଦେବା ନୁହେଁ । ଏଣୁ ଏହି ଆଇନକୁ ଉଚ୍ଛେଦ କରାଯିବ । ନୂଆ ଆଇନର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକଙ୍କୁ ସମ୍ବିଧାନ ଅନୁସାରେ ଯେଉଁ ଅଧିକାର ପ୍ରଦାନ କରାଯାଇଛି ତାହାର ସୁରକ୍ଷା କରିବା । ଏହି ଆଇନର ଉଦ୍ଦେଶ୍ୟ ଦଣ୍ଡ ଦେବା ନୁହେଁ । ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରାଯିବ ।
ଏହା ବି ପଢନ୍ତୁ- Monsoon Session: ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ଆପ୍ ସାଂସଦ ରାଘବ ଚଢା
ଆଇନର ପ୍ରାଥମିକତା ମହିଳା ବିରୋଧୀ ଅପରାଧ:- ଏହି ବିଲ୍ ଷ୍ଟାଣ୍ଡିଂ କମିଟିକୁ ସଂଶୋଧନ ଲାଗି ପଠାଯିବାକୁ ଥିବାରୁ ଏହା ଉପରେ ଅଧିକ କହିବା ଉଚିତ ନୁହେଁ ବୋଲି କହିଥିଲେ ଶାହ । ମାତ୍ର ଏହି ୩ଟି ଆଇନରେ ମହିଳା ବିରୋଧୀ ଅପରାଧକୁ ଅଧିକ ପ୍ରାଥମିକତା ଦିଆଯାଇଛି ବୋଲି ସେ କହିଛନ୍ତି । ମହିଳାଙ୍କୁ ଦୁର୍ବ୍ୟବହାର କରିବାଠାରୁ ବଡ଼ ଅପରାଧ ଆଉ କିଛି ନୁହେଁ । ହେଲେ ୩୦୨ ନଂରେ ରାଜଦ୍ରୋହ, ରାଜସ୍ବ ଲୁଟ୍, ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣକୁ ପ୍ରାଥମିକତା ଦିଆଯାଇଥିଲା । ଏହାକୁ ସଂଶୋଧନ କରାଯାଇ ପ୍ରଥମ ପର୍ଯ୍ୟାୟରେ ମହିଳାଙ୍କୁ ସୁରକ୍ଷା ଦେବା ଉପରେ ପ୍ରାଥମିକତା ଦିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ହତ୍ୟାକାଣ୍ଡ ଓ ମାନବ ସମାଜକୁ ନେଇ ଯେଉଁ ଅପରାଧ ତାହା ଆସିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଗତ ହୋଇଥିବା ୩ଟି ନୂଆ ବିଲ୍ ଉପରେ ଅଧିକ ସୂଚନା ଦେଇ ଶାହ କହିଛନ୍ତି..
- ୪ବର୍ଷ ପର୍ଯ୍ୟନ୍ତ ଏହି ଆଇନ ଉପରେ ବିଚାର ବିମର୍ଷ କରାଯାଇଛି । ଆଲୋଚନା ଲାଗି ୧୫୮ ବୈଠକ ବସିଥିଲା ।
- CrPCକୁ ଉଚ୍ଛେଦ କରିବାକୁ ଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଇନ ୨୦୨୩ରେ ଏବେ ୫୩୩ଟି ଧାରା ରହିଛି । ୧୬୦ ଧାରାକୁ ବଦଳାଯାଇଛି । ୯ଟି ନୂଆ ଧାରା ଯୋଡ଼ାଯାଇଥିବା ବେଳେ ୯ଟି ଧାରାକୁ ଉଚ୍ଛେଦ କରାଯାଇଛି ।
- IPC ବଦଳରେ ଲାଗୁ ହେବାକୁ ଥିବା ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଏବେ ୩୫୬ଟି ଧାରା ରହିବ । ପୂର୍ବରୁ IPCରେ ୫୧୧ଟି ଧାରା ଥିଲା । ନୂଆ ଆଇନରେ ୧୭୫ଟି ଧାରାକୁ ବଦଳାଯାଇଥିବା ବେଳେ ୨୨ଟି ଧାରାକୁ ସବୁ ଦିନ ଲାଗି ଉଚ୍ଛେଦ କରାଯାଇଛି ।
- ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବାକୁ ଥିବା ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୭୦ ଧାରା ହେବ, ପୂର୍ବରୁ ଥିଲା ୧୬୭ଟି । ୨୩ଟି ଧାରା ବଦଳାଯାଇଛି । ଗୋଟିଏ ଧାରା ଯୋଡ଼ାଯାଇଛି । ୫ଟି ଧାରା ଉଚ୍ଛେଦ କରାଯାଇଛି ।
କଣ ରାଜଦ୍ରୋହ ଆଇନ ? :- IPC ଧାରା ୧୨୪ଏ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ସମାଜରେ ଘୃଣାଭାବ ବା ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ବା ସରକାରୀ କର୍ମଚାରୀଙ୍କ ବିରୋଧରେ ନିଜ ଅସନ୍ତୋଷ ବ୍ୟକ୍ତ କରିବେ ତା' ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହେବ । ଏହି ଆଇନ ଅନୁସାରେ ଉକ୍ତ ଅଭିଯୁକ୍ତକୁ ଗିରଫ ପରେ ସହଜରେ ମିଳିବନି ଜାମିନ । ଏଥିଲାଗି ୩ ବର୍ଷ ଜେଲ ଦଣ୍ଡାଦେଶ ବା ଆଜୀବନ ଦଣ୍ଡାଦେଶ ମଧ୍ୟ ମିଳିବ । ତେବେ ଏହି ରାଜଦ୍ରୋହ ଆଇନକୁ ସଂସଦରେ ଆଗତ ହୋଇଥିବା ୩ଟି ବିଲ୍ ଉଚ୍ଛେଦ କରିବ ।