ନୂଆଦିଲ୍ଲୀ: ଶେଷ ହେଉନାହିଁ ସଂସଦରେ ହଙ୍ଗାମା । ଜାରି ରହିଛି ହଟ୍ଟଗୋଳ । ଧୋଇଯାଉଛି ପ୍ରଶ୍ନକାଳ । ସରକାର-ବିରୋଧୀଙ୍କ ଜିଦି ଆଗରେ ବଳି ପଡୁଛି ୧୩୦ କୋଟି ଜନତାଙ୍କ ଭାଗ୍ୟ ଭବିଷ୍ୟତ । ଜନ ପ୍ରତିନିଧି ଗଣତନ୍ତ୍ରର ମନ୍ଦିରରେ ଉଠାଇ ପାରୁନାହାଁନ୍ତି ଜନତାଙ୍କ ପ୍ରସଙ୍ଗ । ହୋହାଲ୍ଲା ହୋଟ୍ଟଗୋଳ ହଙ୍ଗାମାରେ ମାତିଛନ୍ତି ମାନ୍ୟବର। ସଂସଦ ମୌସୁମୀ ଅଧିବେଶନ ସରି ସରି ଆସୁଥିବା ବେଳେ ହୋଇନାହିଁ ଆଶାଜନକ କାର୍ଯ୍ୟ ।
ସବୁ ଦିନ ପରି ଆଜି (ଗୁରୁବାର) ମଧ୍ୟ ପୂର୍ବାହ୍ନ ୧୧ ଟାର ସଂସଦର ଉଭୟ ସଦନ ଆରମ୍ଭ ହୋଇଥିଲା । ସଂସଦ ଆରମ୍ଭ ହେବା ମାତ୍ରେ ଲୋକସଭା ବାଚସ୍ପତି ଓମ ବିର୍ଲା ଟୋକିଓ ଅଲମ୍ପିକ୍ସ ହକିରେ ଐତିହାସିକ ବିଜୟ ନେଇ ପୁରା ସଂସଦ ହକି ଟିମକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲା । ଏହାବାଦ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନେଇ ଭୂରି ଭୂରି ପ୍ରଂଶସା କରିଥିଲା ସଂସଦ । ସେହିପରି ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଝିଅ । ଲଭଲିନା ବୋର୍ଗହେନଙ୍କୁ ମଧ୍ୟ ଲୋକସଭା ପ୍ରଶଂସା କରିବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲା ।
ଏହାପରେ ବାଚସ୍ପତି ପ୍ରଶ୍ନକାଳ ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଆସନରେ ଛିଡା ହୋଇ ହୋହାଲ୍ଲା କରିବା ସହ ବ୍ୟାନର ପ୍ରଦର୍ଶନ କରିଥିଲେ । ଜଳ ଶକ୍ତି ମନ୍ତ୍ରଣାଳୟର ପ୍ରଶ୍ନକାଳ ଚାଲିଥିବା ବେଳେ ବିରୋଧୀ ସାଂସଦ ମାନେ ଲନକୁ ଆସି ପ୍ରବଳ ହଟ୍ଟୋଗୋଳ କରିଥିଲେ । ଅନେକ ସାଂସଦ ପ୍ରଶ୍ନ କରିବାକୁ ଚାହିଁଥିଲେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ପାଇଁ କରିପାରିନଥିଲେ । ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନକାଳ ଚଳାଇବା ପାଇଁ ଚାହିଁଥିଲେ । ହେଲେ ସ୍ଥିତି ସ୍ବାଭାବିକ ନହେବାରୁ ବାଚସ୍ପତି ପ୍ରଥମେ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ ସ୍ଥିତି ଆହୁରି ସଂଗୀନ ହେବାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖିଛନ୍ତି ।
ଅନ୍ୟପଟେ ରାଜ୍ୟସଭା ମଧ୍ୟ ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଧ୍ୟ ଲଭଲିନା ବୋର୍ଗହେନଙ୍କୁ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହାସହ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ପରେ ହକି ଦଳକୁ ମଧ୍ୟ ରାଜ୍ୟସଭା ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ସଫଳତା କାମନା କରିଥିଲା । ପରେ ରାଜ୍ୟସଭାରେ ବିଜନେସ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦଙ୍କ ଆରମ୍ଭ ହୋଇଥିଲା ହଙ୍ଗାମା । ପରେ ଉପାଧ୍ୟକ୍ଷ ରାଜ୍ୟସଭାକୁ ପ୍ରଥମେ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ ରାଜ୍ୟସଭା ହଟ୍ଟଗୋଳ ମଧ୍ୟରେ ଜାରି ରହିଛି ।
ତେବେ ପ୍ରଶ୍ନ ଉଠୁଛି କାହିଁକି ସଂସଦ ସ୍ବାଭାବିକ ହେଉନାହିଁ ? କାହିଁକି ବିନା କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରାଯାଉଛି । କାହିଁକି ସରକାର ସଂସଦ ଚଳାଇବା ପାଇଁ ଠୋସ ପଦକ୍ଷେପ ନେଉନାହାଁନ୍ତି । ଆଉ କେତେ ଦିନ ଏଭଳି ସ୍ଥିତି ଲାଗିବ । ସାଂସଦ ମାନଙ୍କୁ ଦେଶରେ ବିଭିନ୍ନ ଭାଗରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ସମେତ ମହାମାରୀ, ବେକାରୀ, ଟିକାକରଣ, ଆନ୍ତର୍ଜାତୀୟ ପ୍ରସଙ୍ଗ କାହିଁକି ଦେଖାଯାଉନାହିଁ ? ଗଣତନ୍ତ୍ରର ମନ୍ଦିରକୁ ହଙ୍ଗାମା ହଟ୍ଟଗୋଳ କରିବାକୁ ଦେଶର ଜନତା ନିର୍ବାଚିତ କରି ପଠାଇ ନାହାଁନ୍ତି ବୋଲି କେବେ ବୁଝିବେ ସରକାର-ବିରୋଧୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ