ହାଇଦ୍ରାବାଦ: ପୁଅ ହତ୍ୟାର ପ୍ରତିଶୋଧ ନିଆଁରେ ଜଳୁଥିଲେ ବାପା ମାଆ । ହତ୍ୟାକାଣ୍ଡର ଦୁଇ ବର୍ଷ ପରେ ଅଭିଯୁକ୍ତଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦମ୍ପତ୍ତି । ଆଖିରେ ମରିଚ ଗୁଣ୍ଡ ପକାଇ ହତ୍ୟାକାରୀର ମୁଣ୍ଡ ଓ ହାତକୁ ଖଣ୍ଡ ଖଣ୍ଡ କରି ହାଣି ହତ୍ଯାକଲେ ମୃତ ଯୁବକଙ୍କ ମାଆ ଓ ବାପା । ଶେଷରେ ଥାନାରେ କଲେ ଆତ୍ମ ସମର୍ପଣ । ଏଭଳି ଚାଞ୍ଚଲ୍ୟ ଜନକ ଘଟଣା ଘଟିଛି ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ।
ଘଟଣାଟିଥିଲା ଏମିତି
ଗତ ୨୦୨୦ରେ ସାଙ୍ଗାରେଡ୍ଡି ଜିଲ୍ଲାରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ । ଜୁଆ ଖେଳକୁ ନେଇ ଚିନ୍ନାଚେଲମେଡାର ବାସିନ୍ଦା ବେଗରୀ ଆନନ୍ଦ ତଲାରୀ ପ୍ରବୀଣଙ୍କୁ ହତ୍ୟା କରିଥିଲା । ଜୁଆ ଖେଳୁଥିବା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉଗ୍ର ରୂପ ନେବାରୁ ଆନନ୍ଦ ପ୍ରବୀଣଙ୍କୁ ହତ୍ୟା କରିବାକୁ ପଛାଇନଥିଲା । ତେବେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ବେଗରୀ ଆନନ୍ଦ ଏକ ବର୍ଷ ଜେଲରେ ରହିବା ପରେ ଜାମିନରେ ମୁକୁଳିଥିଲା ।
ଏପଟେ ପ୍ରତିଶୋଧ ନିଆଁରେ ଜଳୁଥିଲେ ତଲାରୀ ପ୍ରବୀଣଙ୍କ ବାପା ମାଆ । କେମିତି ପୁଅର ହତ୍ୟାକାରୀ ଆନନ୍ଦକୁ ହତ୍ୟା କରିବେ ସେନେଇ ଚିନ୍ତା କରୁଥିଲେ । ଅଭିଯୁକ୍ତ ଜଣଙ୍କ ଜେଲରୁ ମୁକୁଳିବା ପରେ ସୂଚନା ପାଇଥିଲେ ମୃତ ଯୁବକଙ୍କ ବାପା । ଏହାପରେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ ।
ଏହା ମଧ୍ୟ ପଢନ୍ତୁ-ୟୁପିରେ ଲଜ୍ଜା: ତିନି ତଲାକ ପରେ ମହିଳାଙ୍କୁ ଦୁଷ୍କର୍ମ କଲେ ସ୍ବାମୀ ଓ ଦିଅର
ଗତ ନଭେମ୍ବର 9 ତାରିଖରେ ଆନନ୍ଦ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚିନ୍ନାଚେଲମେଡାର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଏ ବିଷୟରେ ଜାଣିବା ପରେ ପ୍ରବୀଣଙ୍କ ବାପା ଅମ୍ବୟା, ମାଆ ସ୍ବରୂପା ଓ ଭାଇ ପ୍ରଭୁ ଦାସ ସେହି ସ୍ଥାନକୁ ଯାଇଥିଲେ । ତେବେ ଶୁକ୍ରବାର ସକାଳେ ଆନନ୍ଦ ଘରୁ ବାହାରକୁ ଆସୁଥିବା ଦେଖି ସେମାନେ ତାଙ୍କ ଆଖିରେ ମରିଚ ଗୁଣ୍ଡ ପକାଇଦେଇଥିଲେ । ଏହାପରେ ମୃତ ପ୍ରବୀଣଙ୍କ ବାପା ମାଆ ଆନନ୍ଦଙ୍କ ମୁଣ୍ଡ ଓ ହାତ କାଟି ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଥିଲେ । ଏହା ପରେ ଅଭିଯୁକ୍ତ ଦମ୍ପତି ବୁଦ୍ଧେରା ଥାନାରେ ଆତ୍ମସମର୍ପଣ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।