ଇସଲାମାବାଦ: ପାକିସ୍ତାନରେ ନାଟକୀୟ ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ଓ ସଂସଦ ଭଙ୍ଗ ହେବା ଘଟଣାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବିରୋଧୀ । ଆଜି ପିଟିସନ ଦାଏର ହେବା ପରେ ଶୁଣାଣି ଆରମ୍ଭ ହୋଇଥିଲା । ଆଜି କୋର୍ଟକୁ ମୁଲତବୀ କରିଛନ୍ତି ବିଚାରପତି ।
ଆସନ୍ତାକାଲି (ସୋମବାର) ଏହି ମାମଲାର ପୁନଃ ଶୁଣାଣି ଆରମ୍ଭ ହେବ । ଆଜି ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ସ୍ଥିର ହୋଇଥିବାବେଳେ ନାଟକୀୟ ଭାବେ ଅନାସ୍ଥା ଭୋଟିଂକୁ ଖାରଜ କରିଥିଲେ ଉପବାଚସ୍ପତି । ପରେ ପ୍ରଧାନମନ୍ତ୍ରୀ ଓ ସରକାରଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଆରିଫ ଅଲଭି ସଂସଦ ଭଙ୍ଗ କରିଥିଲେ । ଫଳରେ ଦେଶରେ ଆଉ ଥରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ଏକପ୍ରକାର ନିଶ୍ଚିତ ହୋଇଥିଲା। ଯାହାକୁ ବିରୋଧ କରିବା ସହ ଏହାକୁ ଅସାମ୍ବିଧାନିକ ଦର୍ଶାଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।
ଆଜିର ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ସଂସଦର ଉପବାଚସ୍ପତି କାସୀମ ସୌରୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଭୋଟିଂ ପୂର୍ବରୁ ଖାରଜ କରିଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦ୍ୱାରା ଦେଶକୁ ସମ୍ବୋଧିତ କରାଯାଇଥିଲା ଯେଉଁଥିରେ ରାଷ୍ଟ୍ରପତି ଆରିଫ ଅଲଭି ସଂସଦ ଭଙ୍ଗ କରିଥିବାବେଳେ ଆଉ ଥରେ ନିର୍ବାଚନ କରିବାକୁ ପରାମର୍ଶ ଦେଇଥିବା କହିଥିଲେ ଇମ୍ରାନ ।
ପରେ ବିରୋଧୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ସହ ନିଷ୍ପତ୍ତିକୁ ଅସାମ୍ବିଧାନିକ ଘୋଷଣା କରିବାକୁ ପିଟିସନ ଦାଖଲ କରିଥିଲେ । ପ୍ରଧାନ ବିଚାରପତି ଓମାର ଅଟ୍ଟା ବନ୍ଦିଆଲଙ୍କ ନେତୃତ୍ବାଧୀନ 5ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ବୃହତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ତାରିଖ ଆସନ୍ତାକାଲି (ସୋମବାର)କୁ ଧାର୍ଯ୍ୟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ