ଗାନ୍ଧୀନଗର: ପୁଣି ଥରେ ଶତ୍ରୁତା ଜାହିର କଲା ପାକିସ୍ତାନ । ଗୁଜୁରାଟର ସମୁଦ୍ରରୁ ଗତକାଲି(ଶନିବାର) ପୁଣି ପାଞ୍ଚଟି ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ କରିନେଇଛି ପାକିସ୍ତାନ । ୫ ଭାରତୀୟ ଡଙ୍ଗାରୁ ପ୍ରାୟ ୩୦ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଛି । ଗତ ୨୫ ଦିନ ମଧ୍ୟରେ ୨୦ଟି ଡଙ୍ଗା ସହ ୧୨୦ରୁ ଅଧିକ ମତ୍ସ୍ୟଜୀବୀକୁ ଅପହରଣ କରିଛି ପାକିସ୍ତାନ । ପୋରବନ୍ଦର, ୱାନକବାରା, ଓଖା ବନ୍ଦର, ମାଙ୍ଗରୋଲରୁ ୨ଟି ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ କରିନେଇଛି ପାକିସ୍ତାନ ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦ୍ବାରା ଅପହରଣ କରାଯାଇଥିବା ସମସ୍ତ ମତ୍ସ୍ୟଜୀବୀ ଡଙ୍ଗା ମଧ୍ୟରୁ ଅଧିକାଂଶ ଡଙ୍ଗା ପୋରବନ୍ଦର ଓ ଓଖା ବନ୍ଦରରୁ ଅପହରଣ କରାଯାଇଛି । ଏତେ ସଂଖ୍ୟକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ୧୨୦୦ ଡଙ୍ଗା ସହ ୫୦୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଅପହରଣ କରିଛି ପାକିସ୍ତାନ ।
ସୂଚନା ଅନୁସାରେ ସତ୍ୟବତୀ ନାମକ ଏକ ମତ୍ସ୍ୟଜୀବୀ ଡଙ୍ଗାକୁ ଫେବୃଆରୀ ୧ ତାରିଖରେ ଓଖା ବନ୍ଦରରୁ ଅପହରଣ କରିନେଇଥିଲା ପାକିସ୍ତାନ । ଗତ ଜାନୁଆରୀ ୩୧ ତାରିଖରେ ଭୁଜ ଉପକୂଳ ନିକଟବର୍ତ୍ତୀ ଲଖପାଟୱାରୀ କ୍ରିକ ଅଞ୍ଚଳରୁ ୩ ପାକିସ୍ତାନୀ ମାଛଧରା ବୋଟ ଜବତ କରିଥିଲା ସୀମା ସୁରକ୍ଷା ବଳ (BSF) ।