ଶ୍ରୀନଗର: ବଦମାସୀ ଦେଖାଉଛି ପାକିସ୍ତାନ । ଜମ୍ମୁର ଆର୍ନିଆ ଅଞ୍ଚଳରେ ଥିବା ଅନ୍ତର୍ଜାତୀୟ ସୀମା (ଆଇବି)ରେ ପାକିସ୍ତାନର ଏକ ଡ୍ରୋନ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଛି । ଏନେଇ BSF ପକ୍ଷରୁ ସୂଚନା ଦିଆଯାଇଛି । ବିଏସଏଫ ଯବାନମାନେ ଗୁଳି ଚଳାଇବା ପରେ ଡ୍ରୋନଟି ପୁନର୍ବାର ପାକିସ୍ତାନ ଅଞ୍ଚଳକୁ ଉଡ଼ିଯାଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି ।
ବିଏସଏଫ ଅନୁଯାୟୀ, ଆର୍ନିଆ ସେକ୍ଟରରେ ଆଇବି ପାର ହେବାକୁ ଚେଷ୍ଟା କରିଥିଲେ ପାକିସ୍ତାନ ସୈନ୍ୟ । ଆଜି ସକାଳ ପ୍ରାୟ 4ଟା 25 ସମୟରେ ପାକିସ୍ତାନର ଏକ ଛୋଟ ହେକ୍ସା-କୋପ୍ଟର ଉପରେ ଗୁଳି ଚଳାଇଥିଲେ । ପରେ ଭାରତୀୟ ସେନା ପକ୍ଷରୁ ଡ୍ରୋନ ଉପରେ ଗୁଳି ବର୍ଷଣ ପରେ ପଛଘୁଞ୍ଚା ଦେଇଥିଲା ପାକିସ୍ତାନୀ ଡ୍ରୋନ ।
ଗତ ସପ୍ତାହରୁ ଜାମ୍ମୁରେ ଅତି କମରେ ପାଞ୍ଚଟି ଡ୍ରୋନ୍ ପାକିସ୍ତାନ ପକ୍ଷରୁ ଉଡିଥିବା ଜଣାପଡିଛି । ଜୁନ୍ 27 ରୁ 28 ମଧ୍ୟରେ ମଧ୍ୟବର୍ତ୍ତୀ ରାତିରେ ଜାମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ରତ୍ନୁଚାକ୍-କାଲୁଚକ୍ ମିଲିଟାରୀ ଷ୍ଟେସନ୍ ନିକଟରେ ଦୁଇଟି ଡ୍ରୋନ୍ ଉଡିଥିବା ସୂଚନା ମିଳିଛି । ଯାହାର ଦୃଢ ଜବାବ ଦେଇଥିଲେ ଭାରତୀୟ ସେନା । ଏବଂ ଏହାର ଗତିବିଧିକୁ ମଧ୍ୟ ନିରୀକ୍ଷଣ କରି ସଫଳତାର ସହ ମୁକାବିଲା କରିଥିଲେ ।
ସେହିପରି ରବିବାର ସକାଳେ ଜମ୍ମୁ ବାୟୁସେନା ଷ୍ଟେସନର ଅଞ୍ଚଳରେ ଡ୍ରୋନ୍ ଦ୍ବାରା ଦୁଇଟି ବିସ୍ଫୋରଣ ହୋଇଥିଲା । ଗୋଟିଏ ବିସ୍ଫୋରଣରେ କୋଠାର ଛାତରେ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ବେଳେ ଅନ୍ୟଟି ଖୋଲା ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା ବୋଲି ଭାରତୀୟ ବାୟୁସେନା ସୂଚନା ଦେଇଛି । ଯେଉଁଥିରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ଦୁଇଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପରିସ୍ଥିତି ଉପରେ ନଜର ରଖିବା ସହ ସ୍ଥିତିର ଅନୁଧ୍ୟାନ କରିଥିଲେ । ଏହାପୂର୍ବରୁ ତାଙ୍କୁ ବାୟୁସେନାର ଉପାଧ୍ୟକ୍ଷ ଏହି ବିଷୟରେ ସୂଚନା ଦେଇଥିଲେ ।
@ANI