ନୂଆଦିଲ୍ଲୀ: ହ୍ରାସ ପାଉଛି ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା । ଗତମାସ (ଜୁଲାଇ) ରେ ଘରୋଇ ବିମାନରେ ଯାତ୍ରା କରିଛନ୍ତି (domestic air passengers record in july) ମାତ୍ର 97 ଲକ୍ଷ ଯାତ୍ରୀ । ଯାହାକି ତାର ପୂର୍ବ ମାସ ତଥା ଜୁନ ତୂଳନାରେ ପ୍ରାୟ 7.6 ପ୍ରତିଶତ କମ । ଜୁନରେ ଦେଶରେ ମୋଟ 1.05 କୋଟି ଯାତ୍ରୀ ଘରୋଇ ବିମାନ ଯାତ୍ରା କରିଥିଲେ । ଏପରି ତଥ୍ୟ ପ୍ରଦାନ କରିଛି ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (DGCA) । ନିର୍ଦ୍ଦେଶାଳୟ ତାର ନିୟମିତ ମାସିକ ଯାତ୍ରା ସୂଚକାଙ୍କରେ ଏହି ତଥ୍ୟ ପ୍ରକାଶ କରିଛି( DGCA information on domestic air journey) ।
ସୂଚନା ଅନୁସାରେ, ଚଳିତ ବର୍ଷ ଆରମ୍ଭରୁ (ଜାନୁୟାରୀ- ଜୁଲାଇ) ମଧ୍ୟରେ ସମଗ୍ର ଦେଶରେ ମୋଟ 6.69 କୋଟି ଯାତ୍ରୀ ଦେଶ ଭିତରେ ବିଭିନ୍ନ ସହରକୁ ବିମାନ ଯାତ୍ରା କରିଛନ୍ତି । ତେବେ ଗତ ଓ ଚଳିତ ମାସ ବର୍ଷା ଋତୁ ହୋଇଥିବା ଯୋଗୁ ସ୍ବାଭାବିକ ଭାବେ ବିମାନ ସେବା ଆଶିଂକ ପ୍ରଭାବିତ ହେବା ସହ ଯାତ୍ରୀ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଥାଏ । ଜୁଲାଇରେ (domestic air passengers record of july) ଭାରତୀୟ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ମଧ୍ୟରେ ଅଗ୍ରଣୀ ଇଣ୍ଡିଗୋ ଏୟାର-ଲାଇନ୍ସରେ 57.11 ଲକ୍ଷ ଯାତ୍ରୀ ଯାତ୍ରା କରିଛନ୍ତି । ଯାହା ମୋଟ ଯାତ୍ରୀଙ୍କର 58.8 ପ୍ରତିଶତ । ସେହିପରି ଭିସ୍ତାରା ଏୟାର-ଲାଇନ୍ସରେ 10.13 ଲକ୍ଷ ଯାତ୍ରୀ ଓ ଏୟାର-ଇଣ୍ଡିଆରେ 8.14 ଲକ୍ଷ ଯାତ୍ରୀ ଯାତ୍ରା କରିଥିବା ଡିଜିସିଏ ପ୍ରକାଶ କରିଛି ।
ସେହିପରି ଭାରତରେ ଘରୋଇ ଉଡାଣ କ୍ଷେତ୍ରରେ ସେବା ଯୋଗାଉଥିବା ଗୋ-ଫାଷ୍ଟ, ସ୍ପାଇସଜେଟ, ଏୟାର-ଆସିଆ ଇଣ୍ଡିଆ ଏବଂ ଆଲାଇନ୍ସ ଏୟାର ଯଥାକ୍ରମେ 7.95 ଲକ୍ଷ, 7.76 ଲକ୍ଷ, 4.42 ଲକ୍ଷ, 1.12 ଲକ୍ଷ ଯାତ୍ରୀଙ୍କୁ ନେଇ ଯାତ୍ରା କରିଛନ୍ତି । ଜୁଲାଇରେ ବେଷ୍ଟ ଅନ-ଟାଇମ ପରର୍ଫମର ଭାବେ ସ୍ଥାନ ପାଇଛି ଏୟାର ଏସିଆ ଇଣ୍ଡିଆ ବିମାନ ସେବା ପ୍ରଦାନକାରୀ କମ୍ପାନୀ । ଏହି ବିମାନ କମ୍ପାନୀ ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ ଓ ମୁମ୍ବାଇ ପରି 4 ମେଟ୍ରୋ ସିଟି ବିମାନ ବନ୍ଦରରରୁ 95.5 ପ୍ରତିଶତ ସଫଳ ଉଡାଣ କରିଛି । ଏହା ତଳକୁ ଭିସ୍ତାରା ଏୟାର ଲାଇନ୍ସ ଓ ଗୋ-ଫାଷ୍ଟ ଏୟାର ଲାଇନ୍ସ ଯଥାକ୍ରମେ 89 ପ୍ରତିଶତ ଓ 84.1 ପ୍ରତିଶତ ସଫଳ ଅନ-ଟାଇମ ଉଡାଣ ସହ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ