କୋଲକାତା: କଡା ଟକ୍କର ମଧ୍ୟରେ ସରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସବୁଠୁ ଚର୍ଚ୍ଚିତ ହଟ୍ସିଟ ନନ୍ଦିଗ୍ରାମ ମତଦାନ । 80.79 ପ୍ରତିଶତ ମତଦାନ ସହିତ ନିର୍ବାଚନୀ ହିଂସାର ସାକ୍ଷୀ ରହିଛି ଏହି ହାଇପ୍ରୋଫାଇଲ ଆସନ । ଆଉ ଇଭିଏମରେ ସିଲ୍ ହୋଇଛି ନନ୍ଦିଗ୍ରାମ ମହାସଂଗ୍ରାମରେ ପ୍ରତିଦ୍ବନ୍ଦିତା କରୁଥିବା ହେଭିୱେଟଙ୍କ ଭାଗ୍ୟ ।
ପଶ୍ଚିମବଙ୍ଗ ନିର୍ବାଚନରେ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନ ଉପରେ ରହିଥିଲା ସାରା ଦେଶର ନଜର । କାରଣ ତୃଣମୂଳ କଂଗ୍ରେସ ସହିତ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ଏହି ଆସନରୁ ନିର୍ବାଚନ ଲଢିଥିବା ବେଳେ ଅନ୍ୟପକ୍ଷେ ଶୁଭେନ୍ଦୁଙ୍କୁ ଚ୍ଯାଲେଞ୍ଜ କରି ନନ୍ଦିଗ୍ରାମ ମୈଦାନକୁ ଓହ୍ଲାଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ନନ୍ଦିଗ୍ରାମରେ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇଥିଲା ବେଳେ ଦିନ ଯେତେ ବଢିବାରେ ଲାଗିଥିଲା ଏହି ହଟସିଟର ପାରଦ ମଧ୍ୟ ସେତେ ବୃଦ୍ଧି ହୋଇଥିଲା । ନନ୍ଦିଗ୍ରାମର ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିକୁ କରାଯାଇଥିଲା ଆକ୍ରମଣ । କେବଳ ଅଧିକାରୀ ନୁହେଁ, ସାମ୍ବାଦିକଙ୍କ ଗାଡି ମଧ୍ୟ ଏହି ଆକ୍ରମଣରୁ ବର୍ତ୍ତିପାରିନଥିଲା । ନନ୍ଦିଗ୍ରାମର 170 ନମ୍ବର ବୁଥ ନିକଟରେ ସାମ୍ବାଦିକଙ୍କ ଗାଡ଼ି ଉପରକୁ ପଥର ମାଡ କରାଯାଇଥିଲା ।
ନନ୍ଦିଗ୍ରାମ ବିଧାନସଭା ଆସନ ହେଉଛି ପଶ୍ଚିମବଙ୍ଗର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ । 2016ରେ ଏହି ଆସନରୁ ବିଜୟଲାଭ କରିଥିଲା ତୃଣମୂଳ କଂଗ୍ରେସ । ଏଥର ନନ୍ଦିଗ୍ରାମ ବିଧାନସଭା ଆସନର ଫଳାଫଳ କେଉଁ ଦଳର ସପକ୍ଷରେ ରହିବ, ତାହା ଜନସାଧାରଣ ନିଷ୍ପତ୍ତି ନେବେ ।
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ରହିଛି ନନ୍ଦିଗ୍ରାମ ବିଧାନସଭା ଆସନ । 2016ରେ, ନନ୍ଦିଗ୍ରାମରେ ମୋଟ 87 ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । 2016ରେ ତୃଣମୂଳ କଂଗ୍ରେସ କଂଗ୍ରେସର ଶୁଭେନ୍ଦୁ ଅଧିକାରୀ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(CPI)ର ଅବଦୁଲ କବୀର ସେଖଙ୍କୁ 81230 ଭୋଟ ବ୍ୟବଧାନରେ ପରାସ୍ତ କରି ଦଖଲ କରିଥିଲେ ନନ୍ଦଗ୍ରାମ ।
ନନ୍ଦିଗ୍ରାମ ସେହି ବିଧାନସଭା ଆସନ, ଯେଉଁ ଆସନରୁ ରାଜ୍ୟ ରାଜନୀତିରେ ବଡ ଭୂମିକା ପଡିଥାଏ । ଏହି ଜମିରେ ଅର୍ଥାତ ନନ୍ଦିଗ୍ରାମରେ 2007 ସିଙ୍ଗୁର ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନର ନାୟକ ଥିବା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ 3 ଦଶକ ଧରି ଶାସନ କରୁଥିବା ବାମଦଳର ପତନ ପାଇଁ ରଚିଥିଲେ ରଚନା । ସେହି ଜମି ଅଧିଗ୍ରହଣ ଆନ୍ଦୋଳନରୁ ରାଜ୍ୟରେ ପରିବର୍ତ୍ତନ ହୋଇଥିଲା ଶାସନ । ଆଉ ତୃଣମୂଳ କଂଗ୍ରେସକୁ ମିଳିଥିଲା ଶାସନ ଗାଦି । ସେହିଦିନ ଠାରୁ ଶୁଭେନ୍ଦୁ ଅଧିକାରୀ ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ହେବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ବସ୍ତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ