ହାଇଦ୍ରାବାଦ: ଦିନେ ଥିଲେ ପୋଲିସ ରେକର୍ଡରେ ମୋଷ୍ଟ ଓ୍ବାଣ୍ଟେଡ । ଥିଲେ ହାର୍ଡୋକୋର ନକ୍ସଲ । ତରୁଣ ବୟସରେ ଆଦିବାସୀଙ୍କ ହକର ଲଢେଇ ଲଢିବା ପାଇଁ ଜଙ୍ଗଲ ମଧ୍ୟରେ ଧରିଥିଲେ ବନ୍ଧୁକ । ଅଧିକାର ପାଇଁ ବ୍ୟବସ୍ଥା ବିରୋଧରେ କରିଥିଲେ ବିଦ୍ରୋହ । ହେଲେ ପରବର୍ତ୍ତୀ ସମୟରେ ସାମାଜିକ ମୁଖ୍ୟସ୍ରୋତକୁ ଫେରିଲେ । କେବଳ ଫେରିଲେ ନାହିଁ ବରଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିନିଧିତ୍ବ କଲେ । ଆଉ ଏବେ ସେ ରାଜ୍ୟର ଆଦିବାସୀ କଲ୍ୟାଣ ମନ୍ତ୍ରୀ । ବେଶ ନାଟକୀୟ ଲାଗୁଥିଲେ ସୁଦ୍ଧା ଏପରି ଏକ କାହାଣୀ ହେଉଛି ସଦ୍ୟତମ ଶପଥ ନେଇଥିବା ତେଲେଙ୍ଗାନା ମନ୍ତ୍ରୀମଣ୍ଡଳର ଜଣେ ମହିଳା ମନ୍ତ୍ରୀଙ୍କର । ଆଜି ରେବନ୍ତ ରେଡ୍ଡୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇଥିବା ସୀତାକାଙ୍କୁ ନେଇ ଏବେ ବେଶ ଚର୍ଚ୍ଚା ।
ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ମନ୍ତ୍ରୀ ସୀତାକା:-
ଆଜି ତେଲେଙ୍ଗାନାରେ କଂଗ୍ରେସ ଶାସନ ଆରମ୍ଭ ହୋଇଥିବା ବେଳେ ପ୍ରଦେଶ କଂଗ୍ରେସ ସଭାପତି ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରେବନ୍ତଙ୍କ କ୍ୟାବିନେଟରେ ଆଜି ଦୁଇ ମହିଳାଙ୍କ ସହ 11 ଜଣ ନବନିର୍ବାଚିତ ବିଧାୟକଙ୍କୁ ମିଳିଛି ମନ୍ତ୍ରୀ ପଦ । ଏହି ତାଲିକାରେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇଛନ୍ତି ସୀତାକା । 52 ବର୍ଷୀୟା ସୀତାକା ଚଳିତ ଥର କଂଗ୍ରେସ ଟିକେଟରେ ମୁଲୁଗୁ ବିଧାନସଭା କ୍ଷେତ୍ରରୁ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ପୂର୍ବରୁ ସେ ଏହି ଜନଜାତି ସଂରକ୍ଷିତ ଆସନରେ ବିଧାୟିକା ଥିବା ବେଳେ ଚଳିତ ବିଜୟ ତାଙ୍କୁ ରାଜ୍ୟର ଆଦିବାସୀ ମଙ୍ଗଳର ମଙ୍ଗ ଦେଇଛି । ଦିନେ ଆଦିବାସୀଙ୍କ ହକ ପାଇଁ ଅସ୍ତ୍ର ଉଠାଇଥିବା ତରୁଣ ସୀତାକା ଏବେ ଆଦିବାସୀଙ୍କ ଗଣତାନ୍ତ୍ରିକ ପ୍ରତିନିଧି ଭାବେ ସରକାରଙ୍କ ମୁଖ୍ୟ ।
ସୀତାକାଙ୍କ ଜନ୍ମ ଓ ପ୍ରାରମ୍ଭିକ ଜୀବନ:-
1971 ଜୁଲାଇ 9 ତାରିଖରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୁଗୁଲ ବିଧାନସଭା କ୍ଷେତ୍ରର ‘କୋୟା’ ଆଦିବାସୀ ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ସୀତାକା । ପିଲାଦିନେ ନାମ ଥିଲା ଦାନସାରୀ ଅନସୂୟା । 1987 ମସିହାରେ ମାତ୍ର 14 ବର୍ଷ ବୟସରେ ସେ ଆଦିବାସୀଙ୍କ ଲଢେଇ ପାଇଁ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ । ଦୀର୍ଘ 11 ବର୍ଷ ଧରି ସେ ଲାଲକ୍ୟାମ୍ପରେ ସକ୍ରିୟ ରହିଥିଲେ । ଏକାଧିକ ନକ୍ସଲ ଆନ୍ଦୋଳନର ସଫଳ ନେତୃତ୍ବ ମଧ୍ୟ ନେଇଥିଲେ । 1997 ମସିହାରେ ସମାଜର ମୁଖ୍ୟସ୍ରୋତକୁ ଫେରିବା ନିଷ୍ପତ୍ତି ତାଙ୍କୁ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା ।
ଆଇନ ଶିକ୍ଷା ସହ ପିଏଚଡି ଉପାଧି :-
ଜଙ୍ଗଲରେ ବ୍ୟବସ୍ଥା ବିରୋଧରେ ସଶସ୍ତ୍ର ବିଦ୍ରୋହରୁ ସାମାଜିକ ଜୀବନକୁ ଫେରିବା ପରେ ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ସୀତାକା । ପାଠପଢା ବୟସ ଜଙ୍ଗଲରେ କଟିଥିଲେ ସୁଦ୍ଧା ମନୋବଳ ଓ ଇଚ୍ଛାଶକ୍ତି ଯେମିତି ହାର ମାନିନଥିଲା । ଆଇନରେ ଉତ୍ତଶିକ୍ଷା ଲାଭ କରିବା ପରେ ସେ ଆଇନଜୀବୀ ମଧ୍ୟ ହେଲେ । ଅବିଭକ୍ତ ଆନ୍ଧ୍ରର ଅନ୍ୟତମ ପ୍ରତିଷ୍ଠିତ ‘ଓସମାନିଆ ବିଶ୍ବବିଦ୍ୟାଳୟ’ରୁ ସେ 2022 ମସିହାରେ ପିଏଚଡି ମଧ୍ୟ ହାସଲ କଲେ ।
2004 ରେ ରାଜନୀତିରେ ପ୍ରବେଶ:-
ସୀତାକା 2004 ରେ ତେଲଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗଦେଲେ । ସେହିବର୍ଷ (2004) ବିଧାସନଭା ନିର୍ବାଚନରେ ପ୍ରଥମେ ନିର୍ବାଚନ ଲଢିଥିବା ବେଳେ ପରାଜୟର ସ୍ବାଦ ଚାଖିଥିଲେ । 2009 ରେ ସେ ପୁନର୍ବାର ନିର୍ବାଚନ ଲଢି ପ୍ରଥମ ଥର ବିଧାୟିକା ଭାବେ ନିର୍ବାଚିତ ହେଲେ । ପରବର୍ତ୍ତୀ ନିର୍ବାଚନ (2014) ରେ ସେ ପୁଣି ନିର୍ବାଚନ ହାରିଯାଇଥିଲେ ।
2017 ରେ କଂଗ୍ରେସରେ ଯୋଗଦାନ , 2023 ରେ ମନ୍ତ୍ରୀ:-
2017 ରେ ଟିଡିପି ଛାଡି କଂଗ୍ରେସରେ ସାମିଲ ହେଲେ । ପୂର୍ବରୁ ଆଦିବାସୀ ସମ୍ପ୍ରଦାୟର ବଡ ଚେହେରା ହୋଇସାରିଥିବା ସୀତାକାଙ୍କୁ ବଡ ସାଙ୍ଗଠନିକ ଦାୟିତ୍ବ ଦେଇଥିଲା ଦଳ । ସେ ଆଦିବାସୀବହୁଳ ଛତିଶଗଡର ମହିଳା କଂଗ୍ରେସ ରାଜ୍ୟ ପ୍ରଭାରୀ ହେଲେ । ତେଲେଙ୍ଗାନା ଗଠନ ହେବା ପରେ ପୁନର୍ବାର 2018 ରେ ସେ ମୁଲୁଗୁ ବିଧାନସଭା କ୍ଷେତ୍ରରୁ ବିଧାୟିକା ହୋଇଥିଲେ । ମାତ୍ର 2023 ରେ ସେ ପୁଣି ବିଧାୟିକା ଭାବେ ନିର୍ବାଚିତ ହେବା ସହ ଦଳ ‘କଂଗ୍ରେସ’ ମଧ୍ୟ କ୍ଷମତାକୁ ଆସିଥିଲା । ଏଥର ଆଦିବାସୀଙ୍କ ଅଧିକାର ପାଇଁ ତାଙ୍କୁ ଦଳ ଗୁରୁ ଦାୟିତ୍ବ ଦେଇଛି । ରାଜ୍ୟରେ ଆଜି ପ୍ରଥମ କଂଗ୍ରେସ ସରକାରରେ ସୀତାକା ହୋଇଛନ୍ତି ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ