ଶ୍ରୀନଗର: ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫେରନ୍ସ (NC)ର କାର୍ଯ୍ୟକାରୀ ସଭାପତି ଓମାର ଅବଦୁଲ୍ଲା ଚର୍ଚ୍ଚିତ ଫିଲ୍ମ 'The Kashmir Files'କୁ ନେଇ ରଖିଛନ୍ତି ପ୍ରତିକ୍ରିୟା । ଫିଲ୍ମଟି ଏକ ସଂକଳିତ କାହାଣୀ (concocted story) । ଏଥିରେ ଅନେକ ମିଥ୍ୟା ଦୃଶ୍ୟ ଦର୍ଶାଯାଇଛି । କାଶ୍ମୀର ପଣ୍ଡିତଙ୍କ ପଳାୟନ ସମୟରେ ଜମ୍ମୁକାଶ୍ମୀରରେ ରାଜ୍ୟପାଳ ଶାସନ ଥିଲା ବୋଲି ସେ କହିଛନ୍ତି । ସେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଏକ ରାଲିରେ ଯୋଗ ଦେଇଥିବା ସମୟରେ ଫିଲ୍ମ ଉପରେ ଏଭଳି ପ୍ରଶ୍ନ ଉଠାଇଥିବା ଦେଖିବାକୁ ମିଳିଛି ।
ସେ ଗଣମାଧ୍ୟମରେ ପ୍ରତିକ୍ରିୟାରେ ରଖିଛନ୍ତି ଯେ, ଫିଲ୍ମରେ ଅନେକ ସ୍ଥାନରେ ମିଥ୍ୟା ଦୃଶ୍ୟ ଦର୍ଶାଯାଇଛି । ଏହି ଫିଲ୍ମଟି ଡକ୍ୟୁମେଣ୍ଟ୍ରି ନା କମର୍ସିଆଲ ଫିଲ୍ମ ବୋଲି ସେ ଫିଲ୍ମ ମେକର୍ସଙ୍କୁ ପ୍ରଶ୍ନ କରିଛନ୍ତି । ଯଦି ଏହା ଡକ୍ୟୁମେଣ୍ଟ୍ରି ଫିଲ୍ମ ତେବେ ଏଥିରେ ଯାହା ଦର୍ଶାଯାଇଛି ତାହା ସତ ଘଟଣା ବୋଲି ସମସ୍ତେ ମାନିବେ । ଫିଲ୍ମ ମେକର୍ସ କହୁଛନ୍ତି ଏହା ବାସ୍ତବିକ ଘଟଣା ଉପରେ ଆଧାରିତ । ମାତ୍ର ଏଥିରେ ଅନେକ ସ୍ଥାନରେ ମିଛ ଘଟଣା ଦର୍ଶାଯାଇଛି । ସବୁଠୁ ବଡ଼ ମିଥ୍ୟା ହେଉଛି ସେତେବେଳେ ନ୍ୟାସନାଲ କନଫରେନ୍ସର ସରକାର ଥିଲା ।
ଯେତେବେଳେ ୧୯୯୦ ମସିହାରେ କାଶ୍ମୀର ପଣ୍ଡିତ କାଶ୍ମୀର ଛାଡ଼ି ଚାଲିଯାଇଥିଲେ ସେତେବେଳେ ଜମ୍ମୁକାଶ୍ମୀରରେ ରାଜ୍ୟପାଳ ଶାସନ ଥିଲା । ସେତେବେଳେ ଫାରୁଖ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ନଥିଲେ । ଜଗମୋହନ ସାହାବ ରାଜ୍ୟପାଳ ଥିଲେ । ଆଉ କେନ୍ଦ୍ରରେ ବି.ପି ସିଂହ ଥିବା ବେଳେ ତାଙ୍କ ପଛରେ ବିଜେପି ସରକାର ଥିଲା ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଘଟଣାରେ କେବଳ କାଶ୍ମୀର ପଣ୍ଡିତ ପଳାୟନ କରିନଥିଲେ କି ତାଙ୍କୁ ହତ୍ୟା କରାଯାଇନଥିଲା । ପଣ୍ଡିତଙ୍କ ସହିତ ଅନେକ ମୁସଲମାନ ଓ ଶିଖ ମଧ୍ୟ ମୃତ୍ୟୁବରଣ କରିଥିଲେ ।
କାଶ୍ମୀର ପଣ୍ଡିତଙ୍କ ସହିତ ପଳାୟନ କରିଥିବା ଅନେକ ମୁସଲମାନ ଓ ଶିଖ ଧର୍ମାବଲମ୍ବୀ ମଧ୍ୟ ଏଯାଏଁ କାଶ୍ମୀରକୁ ଫେରିନାହାନ୍ତି । ତେବେ NC କାଶ୍ମୀର ପଣ୍ଡିତଙ୍କୁ ଫେରାଇ ଆଣିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ଏହା ଜାରି ରହିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ ଗସ୍ତକୁ ନେଇ ଅବଦୁଲ୍ଲା କହିଛନ୍ତି ଯେ, NC ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଅତି ନିକଟରୁ ଦେଖୁଛି ଏବଂ ସେହି ଅନୁସାରେ କାର୍ଯ୍ୟ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ