ନୂଆଦିଲ୍ଲୀ: କ୍ୟାବିନେଟ ବିସ୍ତାର ପରେ ପ୍ରସ୍ତୁତ ହୋଇସାରିଛି ମୋଦିଙ୍କ ନୂଆ ଟିମ । ହେଭିୱେଟଙ୍କୁ ଦିଆଯାଇଛି ବାଦ । ହାଇପ୍ରୋଫାଇଲ ଚେହେରାକୁ ମିଳିଛି ଏଣ୍ଟ୍ରି । ପ୍ରଦର୍ଶନ ଆଧାରରେ କିଛି ଜଣଙ୍କର ହୋଇଛି ପ୍ରୋମୋସନ । ଚେହେରା ନୂଆ, ଆଉ ଚ୍ୟାଲେଞ୍ଜ ପୁରୁଣା ।
ସଙ୍କଟ ସମୟରେ ମନ୍ତ୍ରୀଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ମୋଦି । କୋରୋନା କାଳରେ ମିଳିଛି ନୂଆ ଟାକ୍ସ ଆଉ ବଢିଛି ଟେନସନ । କେନ୍ଦ୍ର କ୍ୟାବିନେଟରେ ମେଗା ବିସ୍ତାର ପରେ ଏବେ ନୂଆ ସଦସ୍ୟଙ୍କୁ ନେଇ ନ୍ୟୁ ଇଣ୍ଡିଆର ସ୍ବପ୍ନକୁ ସାକାର କରିବା ଦିଗରେ କାମ କରିବେ ମୋଦି ।
ସ୍ବାସ୍ଥ୍ୟ ହେଉ କି ଶିକ୍ଷା, ପେଟ୍ରୋଲିୟମ ଅବା ପ୍ରଯୁକ୍ତିବିଦ୍ୟା ସବୁଠି ଛିଡା ହୋଇଛି ସଙ୍କଟର ପାହାଡ । ସଙ୍କଟର ମୁକାବିଲା ପାଇଁ ନିଜ ନିଜ ବିଭାଗର ମୋର୍ଚ୍ଚା ସମ୍ଭାଳିସାରିଛନ୍ତି ମୋଦି ସେନାର ନୂଆ ସଦସ୍ୟ । ମୋଦିଙ୍କ ନୂଆ ଟିମରେ ସାମିଲ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନାଁ ସବୁଠୁ ଚର୍ଚ୍ଚାରେ ରହିଛି ।
ପୁନଃଗଠିତ ମୋଦି କ୍ୟାବିନେଟରେ ନୂଆ ମନ୍ତ୍ରୀ ନିଜ ନିଜ କାର୍ଯ୍ୟଭାର ସମ୍ଭାଳିବା ମନ୍ତ୍ରୀଙ୍କୁ ପୁରୁଣା ଚ୍ୟାଲେଞ୍ଜ ସହ ସଂଘର୍ଷ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଉପରେ ଭରସା ମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ସହ ମୁକାବିଲା ପାଇଁ କରିବ ମାର୍ଗଦର୍ଶନ ।
ମାଣ୍ଡବ୍ୟଙ୍କ ସାମ୍ନାରେ ସ୍ବାସ୍ଥ୍ୟକୁ ସୁସ୍ଥ କରିବାର ଚ୍ୟାଲେଞ୍ଜ:
ବରିଷ୍ଠ ନେତା ଡାକ୍ତର ହର୍ଷବର୍ଦ୍ଧନଙ୍କ ସ୍ଥାନରେ ଗୁଜୁରାଟର ମନସୁଖ ମାଣ୍ଡବ୍ୟଙ୍କୁ ଦିଆଯାଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ବ । ମୋଦିଙ୍କ କୋଭିଡ ମ୍ୟାନେଜମେଣ୍ଟ ଟିମରେ ସାମିଲ ଥିଲେ ମନସୁଖ ମାଣ୍ଡବ୍ୟ । ଔଷଧ ଉତ୍ପାଦଠୁ ନେଇ ଯୋଗାଣ ପର୍ଯ୍ୟନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ଅର୍ଜନ କରିଛନ୍ତି ମନସୁଖ ।
ମହାମାରୀ କୋରୋନା ସଙ୍କଟ ସମୟରେ ରୁଗଣ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଭିଟାମିନ ଯୋଗାଇବା ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଆଗରେ ବଡ ଚ୍ୟାଲେଞ୍ଜ ହେବ । ସ୍ବାସ୍ଥ୍ୟ ଭିତ୍ତିଭୂମିଠାରୁ ଆରମ୍ଭ କରି ଟୀକାକରଣକୁ ସୂଚାରୁ ରୂପେ ପରିଚାଳନା କରିବା ଯାଏଁ ମାଣ୍ଡବ୍ୟଙ୍କୁ ଅନେକ ପଦକ୍ଷେପ ନେବାକୁ ପଡିବ ।
କାର୍ଯ୍ୟଭାର ସମ୍ଭାଳିବା କ୍ଷଣି ମହାମାରୀ କୋରୋନାର ମୁକାବିଲା ପାଇଁ 23 ହଜାର 100 କୋଟି ଟଙ୍କାର ଜରୁରୀକାଳୀନ ହେଲ୍ଥ ପ୍ୟାକେଜ ଘୋଷଣା କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ଏମରଜେନ୍ସି ପାଇଁ 23 ହଜାର 100 କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି । ଏଥିମଧ୍ୟରୁ 8 ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦିଆଯିବ ।
କୋରୋନାର ତୃତୀୟ ଲହରୀ ସହ ମୁକାବିଲା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଦେଶରେ 20 ହଜାର ନୂଆ ଆଇସିୟୁ ଶଯ୍ୟା ପ୍ରସ୍ତୁl କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ତେବେ କୋଭିଡ ସଙ୍କଟରେ ସ୍ବାସ୍ଥ୍ୟସେବା ତଥା ଭିତ୍ତିଭୂମିକୁ ଏହି ପ୍ୟାକେଜ ବଳ ଦେବ ବୋଲି ଆଶା କରାଯାଉଛି ।
ଭୁପେନ୍ଦ୍ରଙ୍କ ସାମ୍ନାରେ ଶ୍ରମକୁ ଶକ୍ତି ଯୋଗାଇବାର ଚ୍ୟାଲେଞ୍ଜ:
ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର କାର୍ଯ୍ୟଭାର ସମ୍ଭାଳିଛନ୍ତି ଭୂପେନ୍ଦ୍ର ଯାଦବ । ଶ୍ରମିକଙ୍କ ଉପରେ ସିଧାଳଖ ପଡିଛି ମହାମାରୀର ମାଡ । ଲକଡାଉନ କାରଣରୁ ଅନେକ ଶ୍ରମିକ ରୋଜଗାର ହରାଇଛନ୍ତି । ନିଯୁକ୍ତିରୁ ନେଇ ରୋଜଗାର ପର୍ଯ୍ୟନ୍ତ ପ୍ରଶ୍ନ ଘେରରେ ସନ୍ତୁଳି ହେଉଛି ଶ୍ରମ ମନ୍ତ୍ରଣାଳୟ ।
ଶ୍ରମ ଆଇନରେ ସୁଧାର ଆଣିବା ଭୂପେନ୍ଦ୍ର ଯାଦବଙ୍କ ସାମ୍ନାରେ ସବୁଠୁ ବଡ ଚ୍ୟାଲେଞ୍ଜ । ଆଇନ କ୍ଷେତ୍ରରେ ଅଭିଜ୍ଞ ଯାଦବ ଲେବର ଲ'ରେ ବଡ ପରିବର୍ତ୍ତନ ଆଣିପାରନ୍ତି ବୋଲି ଆଶା ରହିଛି ।
ପୁରୀଙ୍କୁ ତୈଳ ତାତି କମାଇବାର ଚ୍ୟାଲେଞ୍ଜ:
ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରୁ ପେଟ୍ରୋଲିୟମ ବିଭାଗ ନେଇ ହରଦୀପ ସିଂହ ପୁରୀଙ୍କୁ ଦିଆଯାଇଛି ଏହାର ଦାୟିତ୍ବ । ଦେଶରେ ବର୍ତ୍ତମାନ ହୁହୁ ହୋଇ ବଢିଚାଲିଛି ତୈଳ ଦର । ଡିଜେଲ ଓ ପେଟ୍ରୋଲରେ ଏକ ପ୍ରକାର ନିଆଁ ଲାଗିଛି କହିଲେ ଚଳେ । ଅନେକ ରାଜ୍ୟରେ ପେଟ୍ରୋଲ ଦର ଶତକ ଛୁଇଁ ସାରିଛି । ଏଭଳିସ୍ଥିତିରେ ପେଟ୍ରୋଲ ଦର ଉପରେ ଲଗାମ ଲଗାଇ ଖାଉଟିଙ୍କ ଅସନ୍ତୋଷକୁ କମାଇବା ହରଦୀପ ପୁରୀଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ ।
ଏହାପୂର୍ବରୁ ସେଣ୍ଟ୍ରାଲ ଭିଷ୍ଟା ଭଳି ବଡ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରି ଦକ୍ଷ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ପୁରୀ । ହେଲେ ନୂଆ ଦାୟିତ୍ବ ତତଲା କଡାରେ ଡହଡହ ଫୁଟୁଥିବା ତେଲଠୁ କମ ହେବନି । ପେଟ୍ରୋଲ ଡିଜେଲ ଉପରେ କରକୁ ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ପୁରୀଙ୍କଠାରୁ ଆଶା କରାଯାଉଛି ।
ପ୍ରଧାନଙ୍କ ପାଖରେ ପାଠକୁ ସଜାଡିବାର ଚ୍ୟାଲେଞ୍ଜ:
ସରକାରଙ୍କ ଉଜ୍ବଳା ଯୋଜନାର ସଫଳତାର ସୂତ୍ରଧର ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ଗୁଡ୍ବୁକରେ ରହିଆସିଛନ୍ତି । ଧର୍ମେନ୍ଦ୍ରଙ୍କ କାନ୍ଧରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ବ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ମୋଦି କ୍ୟାବିନେଟରେ 2 ଥର ଶିକ୍ଷା ମନ୍ତ୍ରଣାଳୟରେ କରାଯାଇଛି ଅଦଳବଦଳ । ରମେଶ ପୋଖରିଆଲଙ୍କ ସ୍ଥାନ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଦେଶରେ ଲାଗୁ ହୋଇସାରିଛି ନୂତନ ଶିକ୍ଷା ନୀତି । ଶିକ୍ଷାରେ ଉନ୍ନତି ଆଶା ସହିତ ଏହାର ବିକାଶ ସରକାରଙ୍କ ଲକ୍ଷ୍ୟ ରହିଛି । ମହାମାରୀର ମାଡରେ ଦୋହଲୁଥିବା ଶିକ୍ଷା ବ୍ୟବସ୍ଥାକୁ ପୁଣି ବ୍ୟବସ୍ଥିତ ଢଙ୍ଗରେ ସଜାଡି ଆଗେଇ ନେବା ଧର୍ମେନ୍ଦ୍ରଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ।
ମହାମାରୀ କୋରୋନା ଯୋଗୁଁ ଦେଶର ଶିକ୍ଷା ବିଭାଗ ଉପରେ ପଡିଛି ଅଧିକ ପ୍ରଭାବ । ପାଖାପାଖି ଦେଢ ବର୍ଷରୁ ଅନଲାଇନ ମୋଡରେ ରହିଛି ଶିକ୍ଷା ବ୍ୟବସ୍ଥା । ବାତିଲ ହୋଇସାରିଛି ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ଅନ୍ୟ ପରୀକ୍ଷା ମଧ୍ୟ ହୋଇଛି ସ୍ଥଗିତ । ଏଭଳିସ୍ଥିତିରେ ଶିକ୍ଷା ବିଭାଗର ମନ୍ତ୍ରୀ ପଦରେ ଦାୟିତ୍ବ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ଛିଡା ହୋଇଛି ଅନେକ ଚ୍ୟାଲେଞ୍ଜ ।
ପରୀକ୍ଷା ବାତିଲ ପରେ ନୂଆ ଫର୍ମୁଲାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ରେଜଲ୍ଟ ନିର୍ଦ୍ଧାରିତ ସମୟରେ ଘୋଷଣା କରିବାକୁ ପଡିବ । ରେଜଲ୍ଟ ଘୋଷଣାରେ ବିଳମ୍ବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ଆଡମିଶନ ପାଇଁ ଅଡୁଆରେ ପକାଇପାରେ । ସେପଟେ 2021-22 ଶିକ୍ଷା ବର୍ଷର ପାଠ୍ୟ ଖସଡାରେ ଅଣାଯାଇଛି ବଡ ପରିବର୍ତ୍ତନ । 50-50 ପ୍ରତିଶତକୁ ନେଇ ଦୁଇଟି ଭାଗରେ ବିଭକ୍ତ ହୋଇଛି ଶିକ୍ଷା ବର୍ଷ । ବର୍ଷକୁ ହେବ 2ଟି ପରୀକ୍ଷା । ତେବେ କୋରୋନା ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ପରୀକ୍ଷାର ସଠିକ ଭାବରେ ପରିଚାଳନା ଏକ ପ୍ରକାର ବଡ ଚ୍ୟାଲେଞ୍ଜ କୁହାଯାଇପାରେ ।
ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦିନରୁ ଅନଲାଇନ ମାଧ୍ୟରେ ଚାଲିଛି ପାଠପଢା । ଅନେକଙ୍କ ପାଖରେ ମୋବାଇଲ ଓ ଇଣ୍ଟରନେଟର ସୁବିଧା ଉପଲବ୍ଧ ନଥିବାରୁ ପାଠପଢାରେ ବାଧା ଉପୁଜୁଛି । ତେବେ କୋରୋନା ମଧ୍ୟରେ ହିଁ କିଭଳି ସ୍କୁଲ କଲେଜ ପୁଣି ଖୋଲାଯାଇପାରିବ ଏହା ଉପରେ ମଧ୍ୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାମ କରିବାକୁ ପଡିବ । ଜେଇଇ ମେନ 2021 ପରେ ଜେଇଇ ଆଡଭାନ୍ସ ଆୟୋଜନ କରିବା ମଧ୍ୟ ଧର୍ମେନ୍ଦ୍ର ଆଗରେ ଏକ ଚ୍ୟାଲେଞ୍ଜ । ଜେଇଇ ମେନର 4 ପର୍ଯ୍ୟାୟ ପରୀକ୍ଷା ରେଜଲ୍ଟ ଘୋଷଣା ପରେ କୋଭିଡ ସଂକ୍ରମଣ ମଧ୍ୟରେ ଆଡଭାନ୍ସ ପରୀକ୍ଷା ଆୟୋଜନ କରିବା ଶିକ୍ଷାମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ।
ସିନ୍ଧିଆଙ୍କ ପାଇଁ ଅଚଳ ବିମାନରେ ଡେଣା ଲଗାଇବାର ଚ୍ୟାଲେଞ୍ଜ:
ଦେଶର ନୂଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ବାପା ମାଧବ ରାଓ ସିନ୍ଧିଆଙ୍କ ବିଭାଗ ପାଇଛନ୍ତି ଜ୍ୟୋତିରାଦିତ୍ୟ । ବର୍ତ୍ତମାନ ସମୟରେ ସବୁଠୁ କ୍ଷତିରେ ଚାଲିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏୟାରଲାଇନ୍ସ କମ୍ପାନୀ ଗୁଡିକର ଘରୋଇକରଣ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ସରକାର । କିଛି କମ୍ପାନୀ ତାଲା ପଡିଯିବା ଉପରେ ରହିଛି । ଏଭଳି କ୍ଷେତ୍ରରେ ସିନ୍ଧିଆଙ୍କ ରନୱେରେ ଆସିବ ବଡ ବଡ ଚ୍ୟାଲେଞ୍ଜ । ଅଚଳ ବିମାନରେ ଡେଣା ଲଗାଇ ଉଡାଇପାରିଲେ ମନ୍ତ୍ରୀ ଭାବରେ ସିନ୍ଧିଆଙ୍କ ପାଇଁ ଏହା ବଡ ସଫଳତା ହେବ ।
ଅଶ୍ବିନୀଙ୍କ ଆଗରେ ରେଳକୁ ଟ୍ରାକରେ ଦୌଡାଇବାର ଚ୍ୟାଲେଞ୍ଜ:
ପ୍ରଥମଥର କ୍ୟାବିନେଟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିଥିବା ଅଶ୍ବିନୀ ବୈଷ୍ଣବଙ୍କୁ ଦିଆଯାଇଛି ରେଳ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଦାୟିତ୍ବ । କୋରୋନା କାରଣରୁ ରେଳ ଚଳାଚଳରେ ବାଧା ଉପୁଜିଛି । ଯାତ୍ରୀ ସଂଖ୍ୟା କମିଥିବାରୁ ଅନେକ କ୍ଷତି ସହିଛି ରେଳ ବିଭାଗ । ତେବେ ରେଳକୁ ପୁଣି ଟ୍ରାକକୁ ଆଣିବା ଅଶ୍ବିନୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ।
ଏପେଟେ କାର୍ଯ୍ୟଭାର ସମ୍ଭାଳିବା କ୍ଷଣି ଆକ୍ସନ ମୋଡରେ ନଜର ଆସିଛନ୍ତି ଅଶ୍ବିନୀ । ଆଇଟି ମନ୍ତ୍ରଣାଳର ଦାୟିତ୍ବ ତାଙ୍କରି କାନ୍ଧରେ ରହିଛି । ସେପଟେ ଦେଶରେ ନୂଆ ଆଇଟି ନିୟମ ଲାଗୁ ହେବାପରେ କେନ୍ଦ୍ର ଓ ସୋସିଆଲ ମିଡିଆ କମ୍ପାନୀ ମଧ୍ୟରେ ବିବାଦ ଲାଗି ରହିଛି । ଆଉ ଏହାରି ମଧ୍ୟରେ ଟ୍ବିଟରକୁ ଚେତାବନୀ ଦେଇ ନିଜ କାର୍ଯ୍ୟ ଦକ୍ଷତାର ଆଭାସ ଦେଇଛନ୍ତି ବୈଷ୍ଣବ ।
ମୋଦିଙ୍କ ନୂଆ ଟିମରେ ଚେହେରା ବଦଳିଥିଲେ ସୁଦ୍ଧା କାର୍ଯ୍ୟପ୍ରଣାଳୀରେ ପରିବର୍ତ୍ତନର ରହିଛି ଆବଶ୍ୟକତା । ଆଉ ସଙ୍କଟ ସମୟରେ ହିଁ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିପାରିଲେ ମୋଦିଙ୍କ ନ୍ୟୁ ଇଣ୍ଡିଆର ସ୍ବପ୍ନ ପୁରା ହେବାକୁ ଯେ ଅଧିକ ଦିନ ଲାଗିବନି ଜୋର ଦେଇ କୁହାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ