ହାଇଦ୍ରାବାଦ: ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଥିବା FIH ପୁରୁଷ ହକି ବିଶ୍ବକପରେ ସାମିଲ ହେବାକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ଏଥିପାଇଁ ନବୀନ ସରକାରର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିବା ଜାରି ରଖିଛନ୍ତି । ଏହି କ୍ରମରେ ଆଜି(ଗୁରୁବାର) ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ହିମାଚଳ ପ୍ରଦେଶ ଗସ୍ତ କରି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ହକି ବିଶ୍ବକପରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି (Minister Sameer Das invite Himachal cm)।
![ଶିମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ](https://etvbharatimages.akamaized.net/etvbharat/prod-images/hp-sml-01-cm-invited-for-hocky-cup_29122022142650_2912f_1672304210_79.jpeg)
ଆସନ୍ତାବର୍ଷ (2023) ଜାନୁଆରୀ 13ରୁ 29 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ପୁରୁଷ ହକି ବିଶ୍ୱକପ (Hockey World Cup) ଅନୁଷ୍ଠିତ ହେବାକୁ ଯାଉଛି । ଜାନୁଆରୀ 13ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସ୍ପେନ୍ ବିପକ୍ଷରେ ଭାରତୀୟ ହକି ଦଳ ଉଦଘାଟନୀ ମ୍ୟାଚ ଖେଳିବା ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଲଗାତାର ଦ୍ୱିତୀୟ ଥର ପାଇଁ ଓଡିଶା ହକି ବିଶ୍ୱକପ ଆୟୋଜନ କରୁଛି । ଏଥିପାଇଁ ରାଜ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଲାଣି । ବିଶ୍ବକପର ଟ୍ରଫି ମଧ୍ୟ ରାଜ୍ୟରେ ପହଞ୍ଚି ସାରିଲାଣି । ଯାହାକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗ ପକ୍ଷରୁ ସ୍ବାଗତ ମଧ୍ୟ କରାଯାଉଛି ।
![ଶିମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ](https://etvbharatimages.akamaized.net/etvbharat/prod-images/hp-sml-01-cm-invited-for-hocky-cup_29122022142650_2912f_1672304210_983.jpeg)
ଶେଷଥର ମଧ୍ୟ ଅନ୍ତର୍ଜାତୀୟ ହକି ଫେଡେରେସନ ଦ୍ୱାରା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ ଆୟୋଜନ ହୋଇଥିଲା । ଗୋଟିଏ ଷ୍ଟାଡିୟମରେ ବିଶ୍ବକପର ସମସ୍ତ ମ୍ଯାଚ ଖେଳାଯାଇଥିଲା । କିନ୍ତୁ ଏଥର ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଟୁର୍ଣ୍ଣାମେଣ୍ଟ ପାଇଁ ଦ୍ୱିତୀୟ ଗ୍ରାଉଣ୍ଡ ଭାବରେ ବ୍ୟବହୃତ ହେବ । ଚଳିତ ବିଶ୍ବକପ (2023)ରେ ମୋଟ 44 ମ୍ୟାଚ ମଧ୍ୟରୁ ରାଉରକେଲା 20ଟି ଓ ଭୁବନେଶ୍ୱରରେ ଫାଇନାଲ ସମେତ ଅବଶିଷ୍ଟ 24ଟି ମ୍ୟାଚ ଖେଳାଯିବାକୁ ସ୍ଥିର କରାଯାଇଛି । ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ 20,000ରୁ ଅଧିକ ଦର୍ଶକଙ୍କ ବସିବାର କ୍ଷମତା ରହିଛି ଓ ଏହା ଦେଶର ସବୁଠୁ ବଡ ହକି ଷ୍ଟାଡିୟମ ଭାବେ ମଧ୍ୟ ମାନ୍ୟତା ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ