ହାଇଦ୍ରାବାଦ: ତେଲେଙ୍ଗାନା ହାଇଦ୍ରାବାଦ ନିକଟସ୍ଥ ବଞ୍ଜାରା ହିଲ୍ସ(Accident in Banjara Hills)ରେ ଯୁବକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଘଟିଛି ଦୁର୍ଘଟଣା । ଫଳରେ ସୋମବାର ମଧ୍ୟରାତ୍ରରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୨ ଅମୂଲ୍ୟ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ, ରୋହିତ ଗୌଡ଼ ଓ ସୁମନ ମଦ୍ୟପାନ କରି ଗାଡ଼ି ଚାଳନା(Drunk driving) କରୁଥିଲେ । ମଦ୍ୟପାନ ସହିତ କ୍ଷିପ୍ର ଗତିରେ ଗାଡ଼ି ଚାଳନା କରିବା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି । ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ଦେବେନ୍ଦ୍ର କୁମାର ଦାସ ଓ ଉତ୍ତରପ୍ରଦେଶ ଗାଜିପରୁ ଅଞ୍ଚଳର ଅଯୋଧ୍ୟା ରଏ । ଉଭୟ ଉକ୍ତ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତେବେ ସେମାନେ ଅଫିସ କାର୍ଯ୍ୟ ସାରି ବଞ୍ଜାରା ହିଲ୍ସର ରୋଡ଼ ନଂ-୨ରେ ଚାଲି ଚାଲି ଆସୁଥିବା ବେଳେ ତାଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଓସମାନିଆ ହସ୍ପିଟାଲ(Osmania hospital)କୁ ପଠାଇଛି ।
ଉତ୍ତରପ୍ରଦେଶ ନିବାସୀ ଅଯୋଧ୍ୟା ହାଇଦ୍ରାବାଦର ନନ୍ଦି ନଗର ଅଞ୍ଚଳରେ ରହୁଥିବା ବେଳେ ଜଗତସିଂହପୁରର ଦେବେନ୍ଦ୍ର ଗୌରୀ ଶଙ୍କର କଲୋନୀରେ ରହୁଥିଲେ । ଦେବେନ୍ଦ୍ର ମାତ୍ର ଦେଢ ବର୍ଷ ପୂର୍ବେ ବିବାହ କରିଥିବା ମଧ୍ୟ ଜଣାପଡ଼ିଛି । ଦୁର୍ଘଟଣା ଘଟିବା ପରେ ଅଭିଯୁକ୍ତ ରୋହିତ କାର ଖସି ପଳାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ । ଉଭୟ ଏକ ପବ୍(Pub)ରେ ମଦ୍ୟପାନ କରିବା ପରେ ପାର୍କ ହାୟଥ ହୋଟେଲକୁ ଫେରୁଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ