ବିଶାଖାପାଟନମ: ବିଶାଖାପାଟନମ ବେଳାଭୂମିରେ ଅଘଟଣ । ଦୁଇଟି ପୃଥକ ଅଘଟଣରେ ସମୁଦ୍ରରେ ଭାସିଯାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 2 ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି । ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲାଇଫଗାର୍ଡ ।
ମିଳିଥିବା ସୂଚନା ଅନୁସାରେ, ବିଶାଖାପାଟନମ୍ର ପ୍ରସିଦ୍ଧ ଆର.କେ ବେଳାଭୂମିକୁ ବୁଲିବା ପାଇଁ ଓଡିଶାର ଭଦ୍ରକ ଜିଲ୍ଲାର 5 ଜଣ ଛାତ୍ରଙ୍କୁ ନେଇ ଗୋଟିଏ ଗ୍ରୁପ ଏବଂ 8 ଜଣ ଯୁବକ ତେଲେଙ୍ଗାନାର ସିକନ୍ଦରାବାଦରୁ ପହଞ୍ଚିଥିଲେ । ଓଡ଼ିଶାର ପାଞ୍ଚ ଜଣ ଛାତ୍ର ଅପରାହ୍ନରେ ବେଳାଭୂମିରେ ଗାଧାେଉଥିବାବେଳେ ସମସ୍ତ ୫ ଜଣ ଗଭୀର ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ । ଚାରିଜଣ ସୁରକ୍ଷିତ ଉଦ୍ଧାର ହୋଇ କୂଳରେ ପହଞ୍ଚିଥିବା ବେଳେ ସୁମିତ୍ରା ତ୍ରିପାଠୀ ନାମକ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସେହିପରି, ସିକନ୍ଦରାବାଦରୁ ଆସିଥିବା 8 ଜଣ ଯୁବକ ମଧ୍ୟ ବେଳାଭୂମିରେ ଗାଧୋଉଥିବାବେଳେ ବଡ ଲହଡି ମାଡରେ ଏମାନଙ୍କ ମଧ୍ୟରୁ ତିନିଜଣ ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ । କିଛି ସମୟ ପରେ, ସି.ଏଚ ସିଭା ନାମକ ଜଣେ ଯୁବକଙ୍କୁ ଉଦ୍ଧାର କରି କୂଳକୁ ଅଣାଯାଇଥିବାବେଳେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ୨ ଯୁବକ କେ.ଶିଭା ଏବଂ ମହମ୍ମଦ ଜିଜଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରନାହିଁ ।
ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଖୋଜାଖୋଜି ଜାରି ରଖିଥିବା ବେଳେ ଆବଶ୍ୟକ ପଡିଲେ ନୌସେନା ଓ ସାମୁଦ୍ରିକ କର୍ମଚାରୀଙ୍କ ସହଯୋଗ ନିଆଯିବାର ସୂଚନା ରହିଛି । ସ୍ପିଡ୍ ଡଙ୍ଗା ଏବଂ ହେଲିକପ୍ଟର ଜରିଆରେ ସର୍ଚ୍ଚ ଅପରେସନ ମଧ୍ୟ ହୋଇପାରେ । ସେହିପରି ଉଦ୍ଧାର ହୋଇଥିବା ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ