ଚଣ୍ଡିଗଡ: ଆଜି ହରିୟାଣା ସରକାରଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ । ହରିୟାଣାର ବିଜେପି-ଜେଜେପି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ । ବିଧାନସଭାରେ ଆଲୋଚନା ପରେ ବହୁମତ ସାବ୍ୟସ୍ତ କରିବେ ଖଟ୍ଟର ସରକାର ।
ତେବେ ଏନେଇ କଂଗ୍ରେସ, ବିଜେପି ଓ ଜେଜେପି ସେମାନଙ୍କ ବିଧାୟକଙ୍କୁ ବିଧାନସଭାରେ ଉପସ୍ଥିତ ରହିବାକୁ କହିଛନ୍ତି । ତିନି ଦଳ ପକ୍ଷରୁ ହ୍ବିପ ଜାରି କରାଯାଇ ସମସ୍ତଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ବଜେଟ ଅଧିବେଶନ ଚାଲିଥିବାବେଳେ ସରକାର କୃଷି ଆଇନକୁ ନେଇ ଲୋକଙ୍କ ଆସ୍ଥା ହରାଇଛନ୍ତି ଦର୍ଶାଇ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଆଣିବ ।
ସେପଟେ ବହୁମତ ସାବ୍ୟସ୍ତ କରିବା ପାଇଁ ଉଭୟ ବିଜେପି ଓ ଜେଜେପି ନିଜ ବିଧାୟକ ମାନଙ୍କୁ ଉପସ୍ଥିତ ରହି ଅନାସ୍ଥା ପ୍ରସ୍ତାବ ବିରୋଧରେ ମତ ଦେବାକୁ କହିଛନ୍ତି । ବିନା ଅନୁମତିରେ କେହି ଗୃହ ନଛାଡିବାକୁ ହ୍ବିପ ଜାରି କରିଛନ୍ତି ।
ସୂଚନାଥାଉକି, ବର୍ତ୍ତମାନ ହରିୟାଣାରେ 88 ଜଣ ବିଧାୟକ ଥିବାବେଳେ ବିଜେପିର 40 ଜଣ ଓ ଜେଜେପିର 10 ଜଣ ବିଧାୟକ ଅଛନ୍ତି । ସେହିପରି କଂଗ୍ରେସର 30 ଜଣ ବିଧାୟକ ରହିଛନ୍ତି । 7 ଜଣ ସ୍ବାଧୀନ ବିଧାୟକ ଅଛନ୍ତି ଓ ହରିୟାଣା ଲୋକହିତ ପାର୍ଟିର ଜଣେ ବିଧାୟକ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ