ପୁଣେ: ପୁଣେରେ ଅଘଟଣ, ଗୋଟିଏ ଦିନରେ ପାଣିରେ ବୁଡି ୯ଜଣଙ୍କ ମୃତ୍ୟୁ । ସେମାନଙ୍କ ମଧ୍ୟରୁ ୪ ଜଣ ସ୍କୁଲ ଛାତ୍ରଛାତ୍ରୀ ରହିଥିବା ବେଳେ ୫ ଜଣ ମହିଳା ରହିଛନ୍ତି । ଏନେଇ ଗତକାଲି(ଗୁରବାର) ପୋଲିସ ପକ୍ଷରୁ ସୂଚନା ମିଳିଛି । ପାଞ୍ଚଜଣ ମହିଳା ଭୋର ତହସିଲର ଭଟଗର ଡ୍ୟାମରେ ବୁଡିଯାଇଥିବା ବେଳେ ୪ ଜଣ ସ୍କୁଲ ଛାତ୍ରଛାତ୍ରୀ ଖେଦ ତହସିଲର ଚସକମ୍ୟାନ ଜଳଭଣ୍ଡାରରେ ବୁଡିଯାଇଥିଲେ ।
ସୂଚନା ଅନୁସାରେ, ପୁଣେର ନରେଗାଙଁ ଗ୍ରାମର ପାଞ୍ଚଜଣ ମହିଳା ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ଭଟଗର ଡ୍ୟାମ ନିକଟରେ ଫଟୋ ଉଠାଇବାକୁ ଯାଇ ବୁଡି ଯାଇଥିଲେ । ଏନେଇ ଗତକାଲି ରାଜଗଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ମୃତକମାନେ ହେଲେ ଖୁସବୁ ରାଜପୁତ(୧୯), ମନିଷା ରାଜପୁକ(୨୦), ଚନ୍ଦାନୀ ରାଜପୁତ(୨୧), ପୁନମ ରାଜପୁତ(୨୨)ଏବଂ ମୋନିକା ଚାଭନ(୨୩) । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି ।
ଦ୍ବିତୀୟ ଘଟଣାରେ ୧୦ମ ଶ୍ରେଣୀର ଦୁଇଜଣ ଛାତ୍ର ଏବଂ ୨ଜଣ ଛାତ୍ରୀ ବୁଲିବା ପାଇଁ ଯାଇଥିବାବେଳେ ଖେଦ ତହସିଲର ଚସକମ୍ୟାନ ଜଳଭଣ୍ଡାରରେ ବୁଡିଯାଇଥିଲେ । ଚାରିଜଣ ମୃତ ଛାତ୍ରଛାତ୍ରୀ ହେଲେ ରିତିନ ଦିଦି, ନାଭାୟା ଭୋସଲେ, ପରିଖିତ ଅଗ୍ରଓ୍ବାଲ, ତନିଶା ଦେଶାଇ । ଏହି ଦୁଇ ଘଟଣାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ପୋଲିସ ଅଧୀକ୍ଷକ ଅଭିନାଭ ଦେଶମୁଖ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ