ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଆଇଏସଆଇଏସ’ ଲିଙ୍କ୍ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସଫଳତା ପାଇଛି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) । ଆଜି (ଶନିବାର) କେନ୍ଦ୍ରୀୟ ସଂସ୍ଥା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ପ୍ରାୟ 40 ରୁ ଅଧିକ ସ୍ଥାନରେ ଅତର୍କିତ ଚଢାଉ କରି ପ୍ରାୟ 15 ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଉଭୟ ରାଜ୍ୟର ପୋଲିସ ସହଯୋଗରେ ମୋଟ 44 ଟି ଆଡ୍ଡା ଉପରେ ଚଢାଉ ଜାରି ରହିଛି । ଗିରଫ ସନ୍ଦିଗ୍ଧ ଆତଙ୍କୀମାନଙ୍କୁ ଜେରା କରାଯାଉଛି । ଏମାନଙ୍କ ମଧ୍ୟରେ ଅନେକ ନିକଟରେ ଏହି ଆତଙ୍କୀ ସଂଗଠନରେ ସାମିଲ ହୋଇଥିବା ଜଣାପଡିଛି । ଏହି ସଂଗଠନ ଭାରତରେ ନିଜର ନେଟଓ୍ବାର୍କ ବସ୍ତାର କରିବା ସହ ଯୁବକଙ୍କୁ ସାମିଲ କରିବାକୁ ପ୍ରଲୋଭିତ କରୁଛି । ସଂଗଠନ ପାଇଁ ସ୍ଲିପର ଏଜେଣ୍ଟମାନେ କାମ କରୁଛନ୍ତି । ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କୁ ଏଥିରେ ସାମିଲ କରାଯାଉଛି । ଏହି ସବୁ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ କେନ୍ଦ୍ରୀୟ ସଂସ୍ଥା ନଜର ରଖିବା ସହ ଆଜି ଏକକାଳୀନ ଦୁଇ ରାଜ୍ୟର 44 ଟି ଆଡ୍ଡା ଉପରେ ଏକାଧିକ ଟିମ ଚଢାଉ କରିଛି ।
ତଦନ୍ତକାରୀ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ମହାରାଷ୍ଟ୍ର ପୁଣେ, ଥାଣେ, ମିରାରୋଡ ଓ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସମେତ ଅନ୍ୟ କିଛି ସ୍ଥାନରେ ଚଢାଉ ହୋଇଛି । ପୂର୍ବରୁ ସନ୍ଦେହଜନକ ଗତିବିଧି ନେଇ ମିଳିଥିବା ଗୁଇନ୍ଦା ରିପୋର୍ଟ ଆଧାରରେ ଆଜି ସକାଳୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କେନ୍ଦ୍ରୀୟ ଅଧିକାରୀଙ୍କ ଟିମକୁ ରାଜ୍ୟ ପୋଲିସ ବଳ ସହଯୋଗ ଯୋଗାଉଛି । ଆଜି ପ୍ରାୟ 44 ଟି ସ୍ଥାନରେ ଚଢାଉରେ 15 ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ :- ସୁରଟ ଛାତ୍ର ତିଆରିଲେ ରୋଭର 'ଅଗସ୍ତ୍ୟ', ବୈଜ୍ଞାନିକ ଆଚମ୍ବିତ
ପାକିସ୍ତାନ ଓ ଅନ୍ୟ ଆରବ ଦେଶ ସହ ବାଂଲାଦେଶରୁ ମଧ୍ୟ ଆଇଏସଆଇଏସ ସଂଗଠନ ସଞ୍ଚାଳିତ ହେଉଛି । ଭାରତରେ ଏହାକୁ ବସ୍ତାର କରିବା ସହ ସଦସ୍ୟ ସଂଗଠନ କରିବା ପାଇଁ ଏହି କୁଖ୍ୟାତ ସଂଗଠନ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କୁ ପ୍ରଲୋଭିତ କରୁଛି । ତେଣୁ ଜାତୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏହି କ୍ରମରେ ନିଜର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ କେରଳ, କର୍ଣ୍ଣାଟକ ସମେତ ବିଭିନ୍ନ ସ୍ଥାନରେ ସଂସ୍ଥା ଚଢାଉ କରିସାରିଛି । ଆଜି ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ସଂସ୍ଥା 15 ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିବାରେ ସଫଳତା ପାଇଛି । ଏମାନଙ୍କଠାରୁ ତଥ୍ୟ ସଂଗ୍ରହକରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ