ଡେରାଡୁନ: ଚାରି ଧାମ ଯାତ୍ରା ଆରମ୍ଭରୁ ପ୍ରତି ମୂହୁର୍ତ୍ତରେ ପାଗ ପରିବର୍ତ୍ତନ ହେବାରେ ଲାଗିଛି । ଲାଗି ରହିଥିବା ବର୍ଷା ଓ ତୁଷାରପାତ ଯୋଗୁଁ ଯାତ୍ରା ପ୍ରଭାବିତ ହୋଇଛି । ଶ୍ରଦ୍ଧାଳୁଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ କେଦାରନାଥ ଧାମ ପାଇଁ ରେଜିଷ୍ଟ୍ରେସନ ବନ୍ଦ କରାଯାଇଛି । ୨୬ ତାରିଖରୁ ପୁଣି ନୂଆ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁମାନଙ୍କ ପୂର୍ବରୁ ରେଜିଷ୍ଟ୍ରେସନ ସରିଛି, କେବଳ ସେମାନେ ଯାତ୍ରା କରିପାରିବେ । ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
କେଦାରନାଥରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଲାଗି ରହିଛି । ଧାମରେ ତାପମାତ୍ରା ମଧ୍ୟ ହ୍ରାସ ହେବାରେ ଲାଗିଛି । ଯାହା ଫଳରେ ଯାତ୍ରା ପ୍ରଭାବିତ ହୋଇଛି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଧାମ ପାଇଁ ହେବାକୁ ଥିବା ରେଜିଷ୍ଟ୍ରେସନକୁ ଆସନ୍ତା ୨୫ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି ।
ଖରାପ ପାଗ ଯୋଗୁଁ ଏହା ପୂର୍ବରୁ ୧୫ ତାରିଖ ଯାଏଁ ନୂଆ ରେଜିଷ୍ଟ୍ରସନ ଉପରେ ରୋକ ଲଗାଯାଇଥିଲା । କିନ୍ତୁ ପାଗରେ ସୁଧାର ନଆସିବାରୁ ୨୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି । କେଦାରନାଥ ଧାମରେ ପ୍ରବଳ ବର୍ଷା ଯୋଗୁଁ ପୂର୍ବରୁ ଏପ୍ରିଲ ୩୦ ତାରିଖ ଯାଏଁ ରେଜିଷ୍ଟ୍ରେସନ ବନ୍ଦ ଥିଲା । ପୁଣି ପାଗ ବିଗିଡ଼ିବାରୁ ଏହାକୁ ମେ ୬ ଯାଏଁ ବୃଦ୍ଧି କରାଗଲା । କେଦାରନାଥ ଧାମରେ ବର୍ଷା ସାଙ୍ଗକୁ ତୁଷାରପାତ ନେଇ ଗତ ୩ ତାରିଖରେ ଆଲର୍ଟ ଜାରି କରାଯାଇଥିଲା । ଫଳରେ ୩ ତାରିଖରେ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଅତ୍ୟଧିକ ତୁଷାରପାତ ଯୋଗୁଁ ଗ୍ଲେସିୟର ତରଳିବା ସହ ରାସ୍ତା ପ୍ରଭାବିତ ହୋଇଥିଲା ।
ଲିନଚୌଲିରୁ କେଦାରନାଥ ମଧ୍ୟରେ ଦୁଇଟି ସ୍ଥାନରେ ଗ୍ଲେସିୟର ତରଳିବା ଯୋଗୁଁ କେଦାରନାଥ ଧାମର ରାସ୍ତା ବନ୍ଦ ହୋଇଯାଇଥିଲା । ଗୋଟିଏ ସ୍ଥାନରେ ରାସ୍ତା ସମ୍ପୁର୍ଣ୍ଣ ପରିଷ୍କାର କରାଯାଇଥିବା ବେଳେ ଭୈରୋ ଗଦେରେରେ ଅତ୍ୟଧିକ ତୁଷାରପାତ ଯୋଗୁଁ ଶ୍ରମିକମାନଙ୍କୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଶ୍ରମିକମାନେ ଗ୍ଲେସିୟରକୁ କାଟି ରାସ୍ତା ତିଆରି କରୁଛନ୍ତି । ତେବେ ବର୍ତ୍ତମାନ ବାବାଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଗ୍ଲେସିୟରର ସାମ୍ନା କରିବାକୁ ପଡୁଥିବା ବେଳେ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ବର୍ଷା ଯୋଗୁଁ କେଦାରନାଥରେ ଅନେକ ଯାତ୍ରୀ ଫସି ରହିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି ।