ନୂଆଦିଲ୍ଲୀ: ସମ୍ପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ 3ଜଣଙ୍କୁ ସ୍ଥାନ ମିଳିଛି । ସେଥିମଧ୍ୟରେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଓ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ସାମିଲ ହୋଇଛନ୍ତି । ଅଶ୍ବିନୀ ବୈଷ୍ଣବ କେନ୍ଦ୍ର ମନ୍ତ୍ରୀ ପଦ ପାଇବା ନେଇ ରାଜ୍ୟ ରାଜନୀତିରେ ଚହଳ ପଡ଼ିଥିବା ବେଳେ ରାଜସ୍ଥାନରେ ମଧ୍ୟ ଅଶ୍ବିନୀ ବୈଷ୍ଣବଙ୍କୁ ଚର୍ଚ୍ଚା ଜୋର ଧରିଛି । କାରଣ ଓଡ଼ିଶାରୁ ରାଜ୍ୟସଭା ପାଇଁ ଅଶ୍ବିନୀ ବୈଷ୍ଣବ ମନୋନୀତ ହୋଇଥିଲେ ସୁଦ୍ଧା ସେ ରାଜସ୍ଥାନର ମୂଳ ବାସିନ୍ଦା ।
ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବାରେ ରାଜସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ରାଜସ୍ଥାନରେ ପ୍ରମୁଖ ଖବରକାଗଜରେ ଶୀର୍ଷକ ରହିଥିଲା ମୋଦିଙ୍କ ନୂଆ କ୍ୟାବିନେଟରେ ରାଜସ୍ଥାନର ଜଲୱା । ତେବେ ଅଶ୍ବିନୀ ବୈଷ୍ଣବ କାହାର ବୋଲି ଏବେ ଚର୍ଚ୍ଚା ହେଉଛି । କାରଣ ସେମିତି ଦେଖିବାକୁ ଗଲେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ସାଂସଦ ମନୋନୀତ ହୋଇଛନ୍ତି । ତେବେ ତାଙ୍କୁ ମଧ୍ୟ ଓଡ଼ିଶା ବିଜେପି ନେତା ବୋଲି କୁହାଯାଉଛି । ତେବେ ଏହି ଦୁଇଜଣଙ୍କୁ ନେଇ ଓଡ଼ିଶା ଆଶ୍ବସ୍ତ ହେବା ଦରକାର କି ବୋଲି ପ୍ରଶ୍ନ ଉଠିଛି ।
କେନ୍ଦ୍ର କ୍ୟାବିନେଟ ପାହ୍ୟା ମିଳିବା ସହ ଅଶ୍ବିନୀ ବୈଷ୍ଣବଙ୍କୁ ଗୁରୁତ୍ବପୂର୍ଣ୍ଣ ରେଳ ମନ୍ତ୍ରାଳୟ ଦିଆଯାଇଛି । ଏହାକୁ ନେଇ ରାଜସ୍ଥାନ ପକ୍ଷରୁ ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଜଣାଯାଇଛି । ଧର୍ମେନ୍ଦ୍ର ପ୍ରଧାନ ଯେଭଳି ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ନିର୍ବାଚିତ ହୋଇଥିଲେ ସୁଦ୍ଧା ସେ ଓଡ଼ିଶା ପୁଅ ଭାବରେ ପ୍ରଶଂସା ସାଉଁଟିଛନ୍ତି । ଠିକ୍ ସେହିଭଳି ଅଶ୍ବିନୀ ମଧ୍ୟ ରାଜସ୍ଥାନ ପୁଅ ଭାବେ ପ୍ରଶଂସା ସାଉଁଟିଛନ୍ତି । ଏହାକୁ ନେଇ ଏତେଟା ଆଲୋଚନା କରାଯିବା କଥା ନୁହେଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।
ତେବେ ମୂଳ କଥା ହେଉଛି ଧର୍ମେନ୍ଦ୍ର ଯେଭଳ ମଧ୍ୟପ୍ରଦେଶରୁ ନିର୍ବାଚିତ ହୋଇଥିଲେ ସୁଦ୍ଧା ନିଜ ରାଜ୍ୟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଠିକ୍ ସେହିଭଳି ଅଶ୍ବିନୀ ବୈଷ୍ଣବ ମଧ୍ୟ ରାଜସ୍ତାନ ପ୍ରତି ଅଧିକ ଢଳିଯିବେ ନାହିଁ ତ ? ସେ ମନ୍ତ୍ରୀ ହେବା ପରେ ରାଜସ୍ଥାନବାସୀ ମଧ୍ୟ ତାଙ୍କଠାରୁ ଅଧିକ କିଛି ଆଶା କରିବା ସ୍ବାଭାବିକ । ଓଡ଼ିଶାରୁ ତିନି ଜଣଙ୍କୁ ମନ୍ତ୍ରୀ ପଦ ଦେଇ ଫୋକସ ଓଡ଼ିଶା କହୁଥିବା ବିଜେପି ସତରେ କଣ ଓଡ଼ିଶାକୁ ଫୋକସ କରିଛି ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ