ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଉଦଘାଟନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡେଗ ଓ କିଛି ଅନ୍ୟମାନଙ୍କ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଜାତିଗତ ମନ୍ତବ୍ୟ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି ।
ନୂଆଦିଲ୍ଲୀର କନ୍ନଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ନୂତନ ସଂସଦ ଭବନର ଉଦଘାଟନ କରାଯିବାକୁ ଅଗଣତାନ୍ତ୍ରିକ କାର୍ଯ୍ୟ ବୋଲି ଅବିହିତ କରି 19ଟି ବିରୋଧୀ ଦଳ ଉଦ୍ଘାଟନୀ ସମାରୋହକୁ ବର୍ଜନ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ଦୁଇ ନେତାଙ୍କ ବୟାନ ଦୁଇ ସମ୍ପ୍ରଦାୟ /ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ପରି । ଏମାନେ ଭାରତ ସରକାରଙ୍କ ପ୍ରତି ଅବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନିଜର ରାଜନୈତିକ ଲାଭ ପାଇଁ ଏପରି ବିବୃତ୍ତି ଦେଇଛନ୍ତି ।
ନୂତନ ସଂସଦ ଗୃହର ଉଦ୍ଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବାରୁ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଏକ ଟ୍ୱିଟ୍ରେ ସରକାରଙ୍କୁ ନିନ୍ଦା କରିଛନ୍ତି । ଲେଖିଛନ୍ତି, ‘‘ସଂସଦ ହେଉଛି ଲୋକମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଗଣତନ୍ତ୍ରର ମନ୍ଦିର । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହେଉଛି ସଂସଦର ପ୍ରଥମ ଅଂଶ । ମୋଦି ସରକାରଙ୍କ ଅହଂକାର ସଂସଦୀୟ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି । 140 କୋଟି ଭାରତୀୟ ଜାଣିବାକୁ ଚାହାଁନ୍ତି, ସଂସଦ ଭବନର ଉଦଘାଟନରେ ଭାରତର ରାଷ୍ଟ୍ରପତିଙ୍କ ଅଧିକାର ଛଡାଇ ଆପଣ ପ୍ରକାଶ କରିବାକୁ ଚାହୁଁଛନ୍ତି ? ’’
ଏଥିସହ ଖଡଗେ ଲେଖିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କେବଳ ନିର୍ବାଚନ କାରଣରୁ ଦଳିତ ତଥା ଆଦିବାସୀ ସମ୍ପ୍ରଦାୟରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିଥିଲା । ସେହିପରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଏହି ସୌଧର ଶିଳାନ୍ୟାସ କରିବାକୁ ନିମନ୍ତ୍ରିତ କରାଯାଇନଥିଲା । ଏବେ ଏହାର ଲୋକାର୍ପଣ କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ନିମନ୍ତ୍ରିତ କାରଯାଇନାହିଁ ।
ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟରରେ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନଥିଲା । ଏବେ ରାଷ୍ଟ୍ରପତି ମୁର୍ମୁଙ୍କୁ ମଧ୍ୟ ନୂତନ ସଂସଦ ଭବନ ଲୋକାର୍ପଣ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଗଲା ନାହିଁ । ସାରା ଦେଶରେ ଏସସି ଏବଂ ଏସଟି ସମାଜ ସେମାନଙ୍କୁ ଅପମାନଜନକ ବିବେଚନା କରାଯିବା କାରଣରୁ ନିମନ୍ତ୍ରଣ କରାଗଲା ନାହିଁ ବୋଲି ଅନୁଭବ କରୁଥିବା କେଜ୍ରିଓ୍ବାଲ କହିଛନ୍ତି ।
ହେଲେ ଉଭୟ ନେତାଙ୍କ ଏହି ସମାଲୋଚନାମୂଳକ ପୋଷ୍ଟକୁ ରାଷ୍ଟ୍ରପତିଙ୍କ ପ୍ରତି ଜାତିଗତ ମନ୍ତବ୍ୟ ବୋଲି ଅଭିଯୋଗ ହୋଇଛି । ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ଆସନ୍ତାକାଲି ହେବାକୁ ଥିବା ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୋଟ 19 ରାଜନୈତିକ ଦଳ ସାମିଲ ହେବେନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂତନ ସଂସଦ ଭବନକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ