ନୂଆଦିଲ୍ଲୀ: ନୂଆ କୋଭିଡ ଭାରିଏଣ୍ଟ (New Covid variant) ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଶନିବାର ବୈଠକରେ ମୋଦି କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ନୂଆ ଭାରିଏଣ୍ଟ (new Variant of Concern Omicron )ର ସଂକ୍ରମଣ ପ୍ରତି ଆମକୁ ସତର୍କତା ବଢାଇବାକୁ ପଡିବ । ବର୍ତ୍ତମାନ ସ୍ଥିତିରେ ସାମ୍ନାକୁ ଆସିଥିବା ନୂଆ ଭ୍ୟାରିଏଣ୍ଟ 'ଓମିକ୍ରନ୍' କୁ ନେଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ପ୍ରଧାନମନ୍ତ୍ରୀ ଅବଗତ କରାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଅନୁଯାୟୀ, ନୂତନ ଭାବେ ଚିହ୍ନଟ ଭାରିଏଣ୍ଟର ଲକ୍ଷଣ ଏବଂ ବିଭିନ୍ନ ଦେଶରେ ଦେଖାଯାଉଥିବା ପ୍ରଭାବ ସହିତ ନୂତନ ଭାରିଆଣ୍ଟ ଅଫ୍ କନସର୍ଣ୍ଣ 'ଓମିକ୍ରନ୍' ସ୍ଥିତି ସମ୍ପର୍କରେ ତାଜା ସୂଚନା ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ କିଛି ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଜଣାପଡିଛି ।
ସମସ୍ତ ଅନ୍ତର୍ଜାତୀୟ ଆଗମନ ଉପରେ ନଜର ରଖିବା, ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ କୋଭିଡ ପରୀକ୍ଷା, 'ବିପଦ' ଚିହ୍ନିତ ଦେଶଗୁଡିକୁ ଯାତାୟତ ଉପରେ ନିର୍ଦ୍ଦିଷ୍ଟ ଧ୍ୟାନ ଦେବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ । ସହିପରି ବର୍ତ୍ତମାନ ସ୍ଥିତିକୁ ତର୍ଜମା କରିବା ସହ ସ୍ଥିତି ଅନୁସାରେ, ଅନ୍ତର୍ଜାତୀୟ ଭ୍ରମଣ ପ୍ରତିବନ୍ଧକକୁ ହ୍ରାସ କରାଯିବା ଓ ସମସ୍ତ ପ୍ରୋଟକଲ ସହ ଏହା ପୁନଃଆରମ୍ଭ କରାଯିବା ଉପରେ ବିଚାର କରିବାକୁ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ରାଜ୍ୟ ତଥା ଜିଲ୍ଲା ସ୍ତରରେ କୋଭିଡ ପ୍ରୋଟକଲ କଡାକଡି ଅନୁପାଳନ , ସଚେତନତା କାର୍ଯ୍ୟକ୍ରମ ଦିଗରେ କାର୍ଯ୍ୟକରିବା ପାଇଁ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ସଂକ୍ରମଣ ଅଧିକ ମାମଲା ସାମ୍ନାକୁ ଆସୁଥିଲେ ସର୍ଭିଲାନ୍ସ ଓ ଟେଷ୍ଟିଂ ପ୍ରକ୍ରିୟା ତ୍ବରାନ୍ବିତ କରିବା ସହ ରାଜ୍ଯମାନଙ୍କୁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇବାରେ ତତ୍ପରତା ଦେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା COVID-19 ନୂତନ ଭାରିଆଣ୍ଟ 'ଓମିକ୍ରନ୍'(Omicron) ବିଷୟରେ ଚିନ୍ତା ପ୍ରକଟ କରି ମୋଦି କହିଛନ୍ତି ଏହି ନୂଆ ଭାଇରସରେ ପ୍ରଭାବିତ ଦେଶରୁ ଯାତ୍ରୀମାନେ ଭାରତରେ ପହଞ୍ଚିବା ପାଇଁ ଅତିରିକ୍ତ ପଦକ୍ଷେପ ଅନୁସରଣ କରିବାକୁ ପଡିବ ।
ଏହି ପ୍ରଭାବିତ ତାଲିକାରେ ଥିବା ଦେଶ ସମୂହ ହେଉଛନ୍ତି, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ଚୀନ୍, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ଇସ୍ରାଏଲ୍, ହଂକଂ, ଇଂଲଣ୍ଡ ସମେତ ୟୁରୋପର ଅନ୍ଯ କିଛି ଦେଶ । ତେବେ ଏହି ଦେଶରୁ ଭାରତକୁ ଫେରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ସର୍ଭିଲାନ୍ସକୁ କଡାକଡି କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ