ନୂଆଦିଲ୍ଲୀ: ଲୋକସଭା ସଦସ୍ୟତା ଫେରି ପାଇଲେ ଲାକ୍ଷାଦ୍ବୀପର NCP ସାଂସଦ ମହମ୍ମଦ ଫୈଜଲ । ବୁଧବାର ଲୋକସଭା ସଚିବାଳୟ ଏହି ଏନ୍ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ନେତା ତଥା ଲାକ୍ଷାଦ୍ବୀପ ସାଂସଦ ମହମ୍ମଦ ଫୈଜଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ନେଇ ହୋଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି । ମହମ୍ମଦ ଫୈଜଲଙ୍କୁ ଏକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ । ଏହାପରେ ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କ ସଦସ୍ୟତା ରଦ୍ଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ଆଜି ଫୈଜଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ଲୋକସଭା ସଚିବାଳୟ ।
ତେବେ ମହମ୍ମଦ ଫୈଜଲ କେରଳ ହାଇକୋର୍ଟଙ୍କ ଦ୍ବାରସ୍ତ ହେବାପରେ ତାଙ୍କର ଦଣ୍ଡାଦେଶ ସ୍ଥଗିତ ରଖାଯାଇଥିଲା । ତେବେ କେରଳ ହାଇକୋର୍ଟଙ୍କ ଦ୍ବାରା ୨୫ ଜାନୁଆରୀ ୨୦୨୩ରେ ମହମ୍ମଦ ଫୈଜଲଙ୍କ ମାମଲାରେ ହୋଇଥିବା ଶୁଣାଣିକୁ ଭିତ୍ତି କରି ତାଙ୍କର ସଦସ୍ୟତା ରଦ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଥିବା ଲୋକସଭା ସଚିବାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶା ଯାଇଛି । ଏହି ମାମଲାରେ ସାଂସଦ ମହମ୍ମଦ ଫୈଜଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ମଧ୍ୟ ହୋଇଛନ୍ତି । ତେବେ ଉଚ୍ଚତମ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ହେବା ପୂର୍ବରୁ ଲୋକସଭା ସଚିବାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ପ୍ରକାଶ ଥାଉ କି, ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି । କର୍ଣ୍ଣାଟକ ନିର୍ବାଚନ ସମୟରେ ଏକ ନିର୍ବାଚନୀ ସଭାରେ ମୋଦୀ ସାଙ୍ଗିଆକୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସୁରତ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଏହାର ୨୪ ଘଣ୍ଟା ମଧ୍ୟରେ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାହୁଲ ଗାନ୍ଧୀଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୦୨(୧) ଏବଂ ଅଧିନିୟମ ୧୯୫୧ର ଧାରା ୮ ଅନୁସାରେ ଲୋକସଭାରୁ ଅଯୋଗ୍ୟ ଘୋଷିତ କରାଗଲା ବୋଲି ଜାରି ହୋଇଥିବା ଏହି ବିଜ୍ଞପ୍ତିରେ ଲେଖାଥିଲା । ଯାହାକୁ ନେଇ ଦେଶବ୍ୟାପୀ ବିରୋଧି ଦଳ ଗୁଡ଼ିକ ଏକାଠି ହୋଇ କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ତେବେ ମହମ୍ମଦ ଫୈଜଲଙ୍କ ସାଂସଦ ପଦ ରଦ୍ଦ ନିଷ୍ପତ୍ତି ଖାରଜ ହୋଇଯିବା ପରେ ରାହୁଲ ଗାନ୍ଧୀ ମଧ୍ୟ ସଦସ୍ୟତା ଫେରି ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ