ଚଣ୍ଡିଗଡ: ପୁଣି ବିବାଦରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିନ୍ଧୁ । ଏଥର ନିଜ ପାଇଁ ନୁହେଁ ବରଂ ତାଙ୍କର ଦୁଇ ପରାମର୍ଶଦାତାଙ୍କ ପାଇଁ । କାଶ୍ମୀର ଏବଂ ପାକିସ୍ତାନ ଭଳି ଜାତୀୟ ପ୍ରସଙ୍ଗରେ ସମ୍ବେଦନଶୀଳ ବିବୃତ୍ତି ଦେଇଥିବା ସିଦ୍ଧୁଙ୍କ ଦୁଇ ପରାମର୍ଶଦାତାଙ୍କୁ ନିନ୍ଦା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।
ମାମଲା ବିଗୁଡୁଥିବା ଦେଖି ସିନ୍ଧୁ ତାଙ୍କର ଦୁଇ ରାଜନୈତିକ ପରାମର୍ଶଦାତା ମଲବିନ୍ଦର ସିଂ ମାଲି ଓ ପ୍ୟାରେ ଲାଲ ଗର୍ଗଙ୍କୁ ସମନ ଜାରି କରିଛନ୍ତି । ଏନେଇ କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି, ପାକିସ୍ତାନକୁ ସୁହାଇଲା ଭଳି ଏବଂ ଜମ୍ମୁ କଶ୍ମୀର ଭାରତର ନୁହେଁ ବୋଲି କହୁଥିବା ବ୍ୟକ୍ତି ଦେଶରେ ରହିବା କଥା ନୁହେଁ । ସିନ୍ଧୁଙ୍କ ପରାମର୍ଶଦାତା ସୀମା ଟପୁଛନ୍ତି ବୋଲି କହିଥିଲେ ମନୀଶ ତିୱାରୀ ।
ଅକାଳି ଦଳ ନେତା ଦଲଜିତ ସିଂ ଖେମା ମଧ୍ୟ ସିନ୍ଧୁଙ୍କ ପରାମର୍ଶଦାତାଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେତେବେଳେ ଦେଶ ପାକିସ୍ତାନ ବିରୁଦ୍ଧରେ ଥିଲା ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରତି କିଏ ବନ୍ଧୁତ୍ବର ହାତ ବଢାଇଥିଲା ? କଂଗ୍ରେସ ନେତା ସନ୍ଦୀପ ଦିକ୍ଷୀତ କହିଛନ୍ତି ଏହା ଆପତ୍ତିଜନକ ଅଟେ । ମୁଁ ସିନ୍ଧୁଙ୍କୁ ପରାମର୍ଶ ଦେଉଛି ସେ ରାଜନୈତିକ ଦୃଷ୍ଟିରୁ ତାଙ୍କଠାରୁ ଦୂରରେ ରୁହନ୍ତୁ । ସେମାନେ ତାଙ୍କ ସୀମା ମଧ୍ୟରେ ରୁହନ୍ତୁ । ଜାଣି ନ ଥିବା ଜିନିଷ ଉପରେ ମନ୍ତବ୍ୟ ଦେବା ବନ୍ଦ କରନ୍ତୁ ବୋଲି କହିଛନ୍ତି ସନ୍ଦୀପ ଦୀକ୍ଷିତ ।
ପ୍ରକାଶ ଥାଉ କି, ସିଦ୍ଧୁଙ୍କ ପରାମର୍ଶଦାତା ପ୍ୟାର ଲାଲ ଗର୍ଗ ଏବଂ ମାଲବିନ୍ଦର ସିଂହ ମାଲି ପ୍ରଶ୍ନ ଉଠାଇ କହିଥିଲେ ଯଦି କଶ୍ମୀର ଭାରତର ତାହେଲେ ଧାରା ୩୭୦ ଏବଂ ୩୫ଏ ହଟାଇବାର ଆବଶ୍ୟକତା କ’ଣ ରହିଥିଲା ବୋଲି ପ୍ରଶ୍ନ କରିଥିଲେ । ଏଥିସହ ସେମାନେ ଇନ୍ଦିରା ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଅରୁଚିକର ପୋଷ୍ଟ କରିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ