ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀର NDMC କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦଳର ପ୍ରାୟ ସମସ୍ତ ବରିଷ୍ଠ ନେତା ତଥା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ଆଗକୁ ଆସୁଥିବା ୫ରାଜ୍ୟର ବିଧାନସଭା ନିର୍ବାଚନ ଓ ଦଳ ଦୁର୍ବଳ ଥିବା ଅଣ ବିଜେପି ଶାସିତ ରାଜ୍ୟରେ ଦଳର ବିସ୍ତାର ଉପରେ କାର୍ଯ୍ୟପନ୍ଥା ସ୍ଥିର ହୋଇଛି ।
ଦଳର ଆଭିମୁଖ୍ୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 10,40,000 ମତଦାନ ବୁଥରେ ବୁଥ କମିଟି ଗଠନ କରାଯିବ । ସେହିପରି ଆସନ୍ତାବର୍ଷ ଏପ୍ରିଲ ୬ ସୁଦ୍ଧା ପେଜ କମିଟି ମଧ୍ୟ ଗଠନ ହେବ । ଏହି କମିଟି ବୁଥ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତକୁ ଲୋକଙ୍କ ନିକଟରେ ପହଞ୍ଚାଇବା କାମ କରିବ ।
ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ତେଲେଙ୍ଗାନାରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳରେ ବିଜେପି ଟିଆରଏସକୁ ପଛରେ ପକାଇ ଭଲ ପ୍ରଦର୍ଶନ କରିଛି । ଏହା ଦଳ ପାଇଁ ଏକ ଭଲ ସଙ୍କେତ ଏବଂ ସେଠାରେ ଲୋକ ବିକଳ୍ପ ଚାହୁଁଥିବା ମଧ୍ୟ ସ୍ପଷ୍ଟ ହୋଇଛି । ସେହିପରି ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମସି ବଙ୍ଗରେ କ୍ଷମତା ବଜାୟ ରଖିଥିବାବେଳେ ସେଠାରେ ଦଳ ପାଇଁ ନୂଆ ଆହ୍ୱାନ ସୃଷ୍ଟି ହୋଇଛି । ବିଜେପି କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ଜାରି ରହିଛି । ନିର୍ବାଚନ ପରବର୍ତ୍ତୀ ହିଂସାରେ ଦଳର 53 କର୍ମୀ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ଏକ ଲକ୍ଷ ଲୋକ ଏବେ ମଧ୍ୟ ଆଶ୍ରୟ ଗୃହରେ ଅଛନ୍ତି । କିନ୍ତୁ ଏହା ବିରୋଧରେ ଦଳ ଗାଣତାନ୍ତ୍ରୀକ ଉପାୟରେ ଲଢେଇ ଜାରି ରହିବ । ଆଗାମୀ ଦଳ ସେଠାରେ ନୂଆ ଇତିହାସ ଲେଖିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଉଦ୍ଘାଟନୀ ଭାଷଣରେ ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅମିତ ଶାହାଙ୍କ ବିବୃତ୍ତିକୁ ଦୋହରାଇବା ସହ କହିଛନ୍ତି, ଦଳ ବର୍ତ୍ତମାନ ସୁଦ୍ଧା ତାର ଲକ୍ଷ୍ୟର ଶିଖରରେ ପହଞ୍ଚିବା ବାକି ରହିଛି । ବର୍ତ୍ତମାନ ଦଳକୁ କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ତେଲେଙ୍ଗାନାରେ ବିସ୍ତାର କରାଯିବାର ସମୟ ଆସିଛି । ଏହି ଦିଗରେ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଉଛି ଦଳ ।
ସେହିପରି କୋଭିଡ ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ସଫଳତାର ସହ ବିଶ୍ବରେ ମାଇଲଖୁଣ୍ଟ ସ୍ଥାପନ କରିଛି । ଦେଶରେ ଚାଲିଥିବା ଟୀକାକରଣ ଅଭିଯାନ ୧୦୦ କୋଟିରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ବ ପାଇଁ ଏହା ସମ୍ଭବ ହୋଇପାରିଥିବା ଦର୍ଶାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦଳର ପୂର୍ବତନ ଅଧ୍ୟକ୍ଷ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ନିତିନ ଗଡକରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ପ୍ରମୁଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ