ଗତ ଦଶକ ମଧ୍ୟରେ ଏହି ମଶାବାହିତ ସଂକ୍ରାମକ ରୋଗ ମାମଲାରେ ଉଦବେଗଜନକ ଭାବେ ବୃଦ୍ଧି ଘଟିଛି । ଗତ ଦୁଇ ଦଶକରେ ଡେଙ୍ଗୁ ମାମଲା ୮ ଗୁଣ ବଢିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ହିସାବରୁ ଜଣାପଡିଛି । ୨୦୦୦ ମସିହାରେ ୫, ୦୫, ୪୩୦ଟି ମାମଲାରୁ ୨୦୧୦ରେ ଏହି ସଂଖ୍ୟା ୨ ଦଶମିକ ୪ ମିଲିଅନରୁ ଅଧିକ ହୋଇଥିଲା । ୨୦୧୯ରେ ଡେଙ୍ଗୁ ମାମଲା ୪ ଦଶମିକ ୨ ମିଲିଅନ ରହିଛି । ୨୦୦୦ରୁ ୨୦୧୫ ମସିହା ମଧ୍ୟରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବା ଲକ୍ଷ୍ୟ କରାଯାଇଛି । ୯୬୦ରୁ ୪ ହଜାର ୩୨ରେ ପହଂଚିଛି ମୃତ୍ୟୁ ସଂଖ୍ୟା । ବିଶ୍ୱର ୧୦୦ଟି ଦେଶ ଡେଙ୍ଗୁ ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ଏସିଆ ମହାଦେଶରେ ଏହା ହାର ଅଧିକ । ବିଶ୍ୱର ୭୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ ଏସିଆ ମହାଦେଶର ହୋଇଥାଆନ୍ତି ।
ଡେଙ୍ଗୁ ଓ ଏହାର ଲକ୍ଷଣ
ଡେଙ୍ଗୁ ହେଉଛି ଏକ ଭାଇରାଲ ସଂକ୍ରମଣ, ଯାହା କି ସାଧାରଣତଃ ଆଡିସ ପ୍ରଜାତିର ମଶାଙ୍କ ଦ୍ୱାରା ବ୍ୟାପିଥାଏ । ଏ ପ୍ରକାର ସଂକ୍ରମିତ ମଶା କାମୁଡିଲେ ଭାଇରସ ସଂକ୍ରମଣ ହୁଏ । ଆମ ଦେଶରେ ବର୍ଷା ଋତୁ ଆରମ୍ଭ ହୋଇଗଲା ମାତ୍ରରେ ଡେଙ୍ଗୁ ବ୍ୟାପେ । ଡିଇଏନଭି-୧, ଡିଇଏନଭି-୨, ଡିଇଏନଭି-୩ ଓ ଡିଇଏନଭି-୪ – ଏହି ଚାରି ପ୍ରକାର ଭାଇରସ ଡେଙ୍ଗୁ ବ୍ୟାପିବାର ମୁଖ୍ୟ କାରଣ । ସଂକ୍ରମିତ ଲୋକର ରକ୍ତରେ ଡେଙ୍ଗୁ ଭାଇରସ ବ୍ୟାପିଥାଏ । ଡେଙ୍ଗୁର ଲକ୍ଷଣ ସାମାନ୍ୟରୁ ଗୁରୁତର ଓ ଅତି ଗୁରୁତର ହୋଇଥାଏ । ସଂକ୍ରମଣ ମରଣାନ୍ତକ ବି ହୋଇପାରେ । ମଶା କାମୁଡିବାର ୪ରୁ ୧୦ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ । ସାମାନ୍ୟ ଡେଙ୍ଗୁର ଲକ୍ଷଣ ଫ୍ଲୁ ର ଲକ୍ଷଣ ସଦୃଶ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସାମାନ୍ୟ ଡେଙ୍ଗୁର ଲକ୍ଷଣଗୁଡିକ ହେଲା –
- ଜ୍ୱର
-ମୁଣ୍ଡବ୍ୟଥା
- ଆଖି ପଛରେ ଯନ୍ତ୍ରଣା
-ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା
-ଅସୁସ୍ଥତା, ବାନ୍ତି
-ରାସ୍
-ଅତିଶୟ କ୍ଲାନ୍ତ
ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ-ସିଡିସି ଅନୁସାରେ ଗୁରୁତର ଡେଙ୍ଗୁ କ୍ଷେତ୍ରରେ ସଂକେତ ଓ ଲକ୍ଷଣ ଟିକେ ବିଳମ୍ବରେ ଦେଖାଯାଏ । ଜ୍ୱର ଛାଡିବାର ୨୪ ରୁ ୪୮ ଘଂଟା ମଧ୍ୟରେ ଗୁରୁତର ଡେଙ୍ଗୁର ଲକ୍ଷଣ ପ୍ରକାଶ ପାଏ । ଏ କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ । ଲକ୍ଷଣ ସବୁ ହେଲା –
- ତଳପେଟ ଯନ୍ତ୍ରଣା
-ବାନ୍ତି (ଦିନକୁ ୩ ଥର ବାନ୍ତି ହେବା )
-ନାକ ଓ ମାଢିରୁ ରକ୍ତ ପଡିବା
-କ୍ଲାନ୍ତି, ଚିଡଚିଡାପଣ
ଏହାଛଡା ହାମରେଜିକ୍ ଜ୍ୱର ବି ଡେଙ୍ଗୁର ଲକ୍ଷଣ । ପ୍ଲେଟଲେଟ ହ୍ରାସ ହେଉଥିବାରୁ ଆକ୍ରାନ୍ତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ । ଅଧିକ ଶୋଷ ଲାଗେ ଓ ତ୍ୱଚା ଫିକା ପଡିଯାଏ ।
ପ୍ରତିକାର
- ଡେଙ୍ଗୁ ପାଇଁ କୌଣସି ଆରୋଗ୍ୟକାରୀ ଚିକିତ୍ସା ବା ଟିକାକରଣ ଏ ଯାଏଁ ଉପଲବ୍ଧ ହୋଇନାହିଁ । ତେବେ, ଆକ୍ରାନ୍ତ ବ୍ୟକ୍ତିର ଲକ୍ଷଣ ଆଧାରରେ ଚିକିତ୍ସା କରାଯାଇପାରେ । ଚିକିତ୍ସା ଅପେକ୍ଷା ପ୍ରତିକାର ଉପରେ ପ୍ରାଧାନ୍ୟ ଦେଲେ ଡେଙ୍ଗୁରୁ ଜଣେ ସୁସ୍ଥ ହୋଇପାରିବ । ଏକାଧିକ ପ୍ରତିକାରମୂଳକ ପଦକ୍ଷେପ ନିଆଯାଇପାରେ ।
- ସକାଳେ ଓ ସଂଧ୍ୟାବେଳେ ଡେଙ୍ଗୁ ମଶାଗୁଡିକ ସକ୍ରିୟ ରହିଥାଆନ୍ତି । ତେଣୁ ଏ ସମୟରେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ଯଦି ବା ବାହାରିବେ, ତାହାହେଲେ ଶରୀରକୁ ସଂପୂର୍ଣ୍ଣ ଘୋଡାଇ ରଖୁଥିବା ପୋଷାକ ପିନ୍ଧନ୍ତୁ ।
- ଆପଣଙ୍କ ଚାରିପାଖ ସଫାସୁତୁରା ଓ ସ୍ୱଚ୍ଛ ରଖନ୍ତୁ ।
- ସ୍ଥିର ପଚା ଓ ମଇଳା ପାଣିରେ ମଶାମାନଙ୍କ ବଂଶବୃଦ୍ଧି ଘଟିଥାଏ । ଆପଣଙ୍କ ଘର ଚାରିଆଡେ ଗାତ ବା କୌଣସି ଖାଲରେ ପାଣି ଯେପରି ନ ଜମେ , ତାହା ନିଶ୍ଚିତ କରନ୍ତୁ ।
- ପାଣି ରଖୁଥିବା ପାତ୍ର ଘୋଡାଇ ରଖନ୍ତୁ ।
- ପିକ୍ ସମୟରେ ଆପଣଙ୍କ ଘରର ଝରକା କବାଟ ବନ୍ଦ ରଖନ୍ତୁ । ଡୋର୍ ଓ ୱିଣ୍ଡୋ ନେଟ୍ ଲଗାଇ ମଶାଙ୍କ ଆସିବାକୁ ରୋକନ୍ତୁ ।
- ହାତ ଓ ଗୋଡକୁ ଆଚ୍ଛାଦିତ କରିପାରୁଥିବା ଥିବା ପୋଷାକ ପିନ୍ଧନ୍ତୁ । ଶୋଇଲା ବେଳେ ମଶା ଧୂପ ଓ ଲୋସନ ବ୍ୟବହାର କରନ୍ତୁ । ମଶାରୀ ଟାଙ୍ଗି ଶୁଅନ୍ତୁ । ଦିନବେଳେ ବି ଏପରି କରନ୍ତୁ ।
- ଘରର କୁଲର ପାଣି ସପ୍ତାହକୁ ଅନ୍ତତଃ ପରିବର୍ତ୍ତନ କରନ୍ତୁ । କାରଣ କୁଲରରେ ଜମୁଥିବା ପାଣିରେ ମଶାମାନେ ବଂଶବୃଦ୍ଧି କରନ୍ତି ।
- ଘରେ କୀଟାଣୁନାଶକ ସ୍ପ୍ରେ କରନ୍ତୁ ।
- ଯଦି କୌଣସି ଲକ୍ଷଣ ଦେଖନ୍ତି, ତାହା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
୫ଟି ମଶା ନିରୋଧୀ ଗଛ:-
୧. ତୁଳସୀ ଗଛ
୨. ନିମ୍ବ ଗଛ
୩. ରୋଜମ୍ୟାରୀ
୪. ସିଟ୍ରୋନେଲା
୫. ଗେଣ୍ଡୁଫୁଲ ଗଛ