ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ । ଏନେଇ ରଣନୀତି ପ୍ରସ୍ତୁତ କଲାଣି ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ଉତ୍ତରାଖଣ୍ତ ଗସ୍ତରେ ଯିବେ ଏବଂ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ କରିବାକୁ ସେ ଦଳର ବରିଷ୍ଠ ନେତା ଓ ନିର୍ବାଚନରେ ଭାଗ ନେବାକୁ ଥିବା ପ୍ରତିନିଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଏହି ଗସ୍ତ ସମୟରେ ଅଗଷ୍ଟ 20ରେ ହରିଦ୍ୱାରରେ ସାଧୁ ସଂନ୍ଥଙ୍କ ଆଶୀର୍ବାଦ ଲୋଡ଼ିବେ। ଅଗଷ୍ଟ 21ରେ, ନଡ୍ଡା ରାଇୱାଲା ଡେରାଡୁନରେ ପୂର୍ବତନ କର୍ମଚାରୀଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ନଡ୍ଡାଙ୍କ ନେତୃତ୍ବରେ ୧୧ଟି କାର୍ଯ୍ୟକ୍ରମ କରିବାର ଯୋଜନା ରଖିଛି ଉତ୍ତରାଖଣ୍ତ ବିଜେପି । ଏଥିମଧ୍ୟରେ ବ୍ଲକସ୍ତରରୁ ଆରମ୍ଭ କରି ସାଧାରଣ ସଚିବ, ବିଧାୟକ, ସାଂସଦ, କ୍ୟାବିନେଟ ମନ୍ତ୍ରୀ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଉତ୍ତରାଖଣ୍ଡର ସମସ୍ତ ପୂର୍ବତନ ସିଏମଙ୍କ ସହ ନଡ୍ଜା ବୈଠକ କରିବେ ।
ଆୟୋଜିତ ହେବାକୁ ଥିବା ବୈଠକ ଗୁଡିକରେ ପ୍ରତ୍ୟେକ ସ୍ତରର ନେତାଙ୍କୁ ଅନ୍ତର୍ଭୁକ୍ତ କରାଯିବ। ମତଦାନ ପୂର୍ବରୁ ସମସ୍ତଙ୍କୁ ଏକ କାର୍ଯ୍ୟ ବଣ୍ଟନ କରାଯିବ। ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯିବା ସହ ରଣନୀତି ଉପରେ ଗୁରୁତ୍ବ ଦିଆଯିବ । ଏହି ସଭା ଗୁଡ଼ିକରେ ବ୍ଲକ ମୁଖିଆଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଏହା ବ୍ୟତୀତ କୋର କମିଟି ବୈଠକ ମଧ୍ୟ ଆୟୋଜିତ ହେବ ।
ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ଉତ୍ତରାଖଣ୍ଡରେ ଲୋକମାନେ ପ୍ରତ୍ୟେକ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଚୟନ କରିଛନ୍ତି । କିନ୍ତୁ ଆମେ ଏଥର ପରିବର୍ତ୍ତନ କରିବାକୁ ଚାହୁଁଛୁ। କେନ୍ଦ୍ରୀୟ ଯୋଜନା ଏବଂ ରାଜ୍ୟ ଦ୍ବାରା ଆରମ୍ଭ ହୋଇଥିବା କଲ୍ୟାଣକାରୀ ଯୋଜନା ସହିତ ଦଳ ଏଠାରୁ ଜିତିବାକୁ ଆଶା କରୁଛୁ । ଆସନ୍ତାବର୍ଷ ୭୦ ଆସନ ପାଇଁ ସାଧାରଣ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଇ ତିରଥ ସିଂ ରାୱତଙ୍କୁ ଦାୟିତ୍ବ ଦିଆଯାଇଥିଲା । ପରେ କୌତୁହଳର ବିଷୟ ହେଉଛି, ଚଳିତ ବର୍ଷ ଜୁଲାଇରେ ତିରଥ ସିଂ ରାୱତଙ୍କୁ ହଟାଯାଇ ପୁଷ୍କର ସିଂ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି ।
@ANI