ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ହିଜାବ ଇସଲାମ ଧର୍ମର ପ୍ରମୁଖ ଅଂଶ ନୁହେଁ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବା ଉଚିତ୍ ବୋଲି କୋର୍ଟ କହିଛନ୍ତି । ତେବେ ହାଇକୋର୍ଟଙ୍କ ରାୟ ପରେ ବି ଥମୁନି ହିଜାବ ବିବାଦ । କୋର୍ଟଙ୍କ ରାୟକୁ ପ୍ରତିବାଦ କରି ମୁସଲମାନ ସମୁଦାୟ ପୁଣି ବିରୋଧ ପ୍ରଦର୍ଶନ କରିଛନ୍ତି । ଏପରିକି ହିଜାବ ବ୍ୟାନକୁ ବିରୋଧ କରି ଆଜି ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ କର୍ଣ୍ଣାଟକ ବନ୍ଦ(Karnataka bandh) ଡାକରା ଦିଆଯାଇଛି ।
କର୍ଣ୍ଣାଟକର ବରିଷ୍ଠ ମୁସଲିମ୍ ନେତା ସଗୀର ଅହମ୍ମଦ ରସିଦ୍ ଆଜି ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି । ବୁଧବାର ରସିଦ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ହିଜାବ ବିବାଦ ମାମଲାରେ ହାଇକୋର୍ଟଙ୍କ ଦୁଃଖଦାୟକ ରାୟ ବିରୁଦ୍ଧରେ ନିଜର ଆକ୍ରୋଶ ପ୍ରଦର୍ଶନ କରିବାକୁ ମୁଁ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଉଛି । ମୁଁ ସମସ୍ତ ମୁସଲମାନଙ୍କୁ ଅନୁରୋଧ କରୁଛି ଯେ, ମୋ ଆଦେଶକୁ ଧ୍ୟାନର ସହ ଶୁଣନ୍ତୁ ଏବଂ କାର୍ଯ୍ୟକାରୀ କରନ୍ତୁ । ସମାଜର ସମସ୍ତ ଦଳିତ, ନିଷ୍ପେସିତ ଏବଂ ଗରୀବ ଶ୍ରେଣୀକୁ ଏହି ବନ୍ଦରେ ସାମିଲ ହେବାକୁ ରସିଦ୍ ଅପିଲ୍ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: Hijab Row Case: ଶିକ୍ଷାନୁଷ୍ଠାନରେ ହିଜାବକୁ ନା, ସମସ୍ତ ଆବେଦନ ଖାରଜ କଲେ ହାଇକୋର୍ଟ
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ହିଜାବ ମାମଲାର ଶୁଣାଣି କରିଥିଲେ । ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ଥି, ଜଷ୍ଟିସ କ୍ରିଷ୍ଣା ଏସ୍ ଦୀକ୍ଷିତ ଏବଂ ଜେ ଏମ୍ ଖାଜିଙ୍କ ଖଣ୍ଡପୀଠ ହିଜାବ ନେଇ ହୋଇଥିବା ସମସ୍ତ ମାମଲା ଖାରଜ କରିଥିଲେ ।