ନୂଆଦିଲ୍ଲୀ: ସାମୟିକ ସ୍ଥଗିତ ରହିଲା ଦିଲ୍ଲୀ ନଗର ନିଗମ ବୈଠକ । ଏହି ବୈଠକ ଆଜି ବସିବାକୁ ଥିବାବେଳେ ମଙ୍ଗଳବାରକୁ ଧାର୍ଯ୍ୟ କରାଯାଇଛି । ମଙ୍ଗଳବାର ଦିନ ୧୧ଟାରେ ବସିବ ବୈଠକ । ସେପଟେ ଏହାକୁ ନେଇ ଆପ ସରକାରକୁ ଟାର୍ଗେଟ କରିଛି ବିଜେପି । ବିଜେପି କହିଛି ,"ଏଜେଣ୍ଡାକୁ ନେଇ ଭ୍ରମରେ ଅଛନ୍ତି ଦିଲ୍ଲୀ ସରକାର । ସେଥିପାଇଁ MCD ବୈଠକକୁ ସ୍ଥଗିତ କଲେ ।"
ଏନେଇ ବିଜେପି କାଉନସିଲର ସନ୍ଦୀପ କପୁର କହିଛନ୍ତି, "ଦିଲ୍ଲୀ ସରକାର ନିଜ ଏଜେଣ୍ଡାକୁ ନେଇ କନଫ୍ୟୁଜ ଅଛନ୍ତି । ସେମାନେ ନିଜେ ବି ଜାଣିପାରୁନାହାନ୍ତି ଯେ କେଉଁ ମୁଦ୍ଦା ନେଇ ଆଲୋଚନା କରିବେ । ଯେଉଁଥିପାଇଁ ଏହି ବୈଠକର ତାରିଖ ସେମାନଙ୍କୁ ଘୁଞ୍ଚାଇବାକୁ ପଡିଲା । ସେମାନଙ୍କର ସ୍ଥାୟୀ ସମିତି ଗଠନ ହୋଇନଥିବାବେଳେ ଅର୍ଥନୈତିକ ପ୍ରସ୍ତାବକୁ ଗୃହରେ ଆଣିବାକୁ ସେମାନେ ପ୍ରୟାସ କରୁଛନ୍ତି । ଯାହାକି ବେଆଇନ । ଆଇନକୁ ପାଳନ କରୁନି ଆମ ଆଦମି ପାର୍ଟି ସରକାର ।"
ସେପଟେ ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ କପୁର ମଧ୍ୟ ଏହି ବୈଠକ ଉପରେ ପ୍ରତିକ୍ରିୟା ରଖି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ମେୟର ଶେଲି ଓବରାୟ ବିନା କୌଣସି ଏଜେଣ୍ଡା ରଖି ନିଗମର ଅସାମ୍ବିଧାନିକ ବୈଠକ ଡାକିଥିଲେ । ଯାହାକୁ ଘୋର ବିରୋଧ କରିଥିଲା ଭାଜପା । ଏହାପରେ ସେ ୫ ହଜାର କର୍ମୀଙ୍କୁ ନିୟମିତ କରିବା ଏବଂ ଡିବିସି କର୍ମଚାରୀଙ୍କର ପ୍ରମୋସନ କରିବା ଭଳି ପ୍ରସଙ୍ଗ ଉଠାଇଥିଲେ ।"
ଏହା ବି ପଢନ୍ତୁ...Fight in MCD: ଷ୍ଟାଣ୍ଡିଂ କମିଟି ଗଠନ ନେଇ ଦିଲ୍ଲୀ ମହାନଗର ନିଗମ ଭବନରେ BJP-AAP ମଧ୍ୟରେ ମାରପିଟ
ସୂଚନା ଅନୁସାରେ, ଆଜି ବସିବାକୁ ଥିବା MCD ବୈଠକରେ ଅନେକ ପ୍ରସ୍ତାବ ପ୍ରସ୍ତୁତ ହେବାର ଯୋଜନା ଥିଲା । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିଲ୍ଲୀରେ ୫୦ରୁ ଊର୍ଦ୍ଧ୍ବ ନୂତନ ଲାଇବ୍ରେରୀର ସ୍ଥାପନ କରାଯିବା ସମ୍ପର୍କରେ ଆଲୋଚନା କରାଯିବାର ଯୋଜନା ରହିଥିଲା । ଏହାସହ ପ୍ରତ୍ୟେକ ପାଠାଗାରରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ବସି ପାଠ ପଢିବା ପାଇଁ ସୁବିଧା ରହିବ । ଏହାସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନେଇ ମଧ୍ୟ ଆଲୋଚନା ହେବାର ଯୋଜନା ରହିଥିଲା । ସହରରେ କିଭଳି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ରିସାଇକ୍ଲିଂ କେନ୍ଦ୍ର କରାଯିବାର ଯୋଜନା ରହିଛି ।
ଖାଲି ସେତିକି ନୁହେଁ, ଗତ ୨୬ ସେପ୍ଟେମ୍ବରର ବସିଥିବା ବୈଠକରେ ଯେଉଁ ସବୁ ପ୍ରସ୍ତାବ ଅନୁମାଦୋନ ହୋଇପାରିନଥିଲା ସେହି ପ୍ରସଙ୍ଗରେ ପୁଣି ଥରେ ବୈଠକରେ ଆଲୋଚନା କରାଯିବାର ଯୋଜନା ରହିଛି । ଏହାସହ ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆହୁରି ଉନ୍ନତମାନର ଚିକିତ୍ସା ସୁବିଧା ପାଇଁ ଚିକିତ୍ସାଳୟ ସ୍ଥାପନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି।