ଶିମଲା: ନେପାଳରେ ଆଖି ବୁଜିଲେ ଭାରତୀୟ ପର୍ବତାରୋହୀ ବଲଜିତ କୌର ଏବଂ ଅନୁରାଗ ମାଲୁ । ନେପାଳ ମାଉଣ୍ଟ ଅନ୍ନପୂର୍ଣ୍ଣା ଆରୋହଣ କରିବା ପରେ ଅକ୍ସିଜେନ ଅଭାବରୁ ଆଜି(ମଙ୍ଗଳବାର) ବଲିଜତିଙ୍କ ମୃତ୍ୟୁ ଘଟିଛି । ସେହିପରି ୬୦୦୦ ମିଟର ତଳକୁ ଖସି ପଡିବା ପରେ ନିଖୋଜ ଥିବା ପର୍ବତାରୋହୀ ଅନୁରାଗ ମାଲୁଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବଲଜିତଙ୍କ ଘର ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାରେ । ମାଉଣ୍ଟ ଏଭରେଷ୍ଟ ସହ ଅନେକ ଗିରିଶୃଙ୍ଗ ଆରୋହଣ କରିବାର ରେକର୍ଡ ତାଙ୍କ ନାମରେ ରହିଛି ।
ହିମାଚଳ ପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ବଲିଜିତଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ''ମୋ ନିର୍ବାଚନ ମଣ୍ଡଳୀର ପ୍ରତିଭାଶାଳୀ ପର୍ବତାରୋହୀ ବଲଜିତ କୌରଙ୍କ ମୃତ୍ୟୁ ଖବର ଶୁଣି ମୁଁ ସ୍ତବ୍ଧ । କୌର କେବଳ ନିଜ ରାଜ୍ୟ ନୁହଁନ୍ତି ସାରା ଦେଶକୁ ଗୌରବାନ୍ବିତ କରିଛନ୍ତି । ଇଶ୍ବର ତାଙ୍କ ପରିବାରକୁ ଏହି କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ ।'' କହିରଖୁଛି କି, ବଲଜିତ କୌର ପ୍ରଥମ ଭାରତୀୟ ମହିଳା ଯିଏକି ମାସେରୁ କମ୍ ସମୟ ଭିତରେ ୮ ହଜାର ମିଟର ଉଚ୍ଚତାର ଚାରୋଟି ପର୍ବତ ଆରୋହଣ କରିଛନ୍ତି । ୨୦୧୬ରେ ସେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ । ହେଲେ ସେହି ସମୟରେ ତାଙ୍କ ପାଖରେ ଅତିରିକ୍ତ ଅକ୍ସିଜେନ ମାସ୍କ ନଥିବାରୁ ଲକ୍ଷ୍ୟସ୍ଥଳରୁ ମାତ୍ର ୩୦୦ ମିଟର ପଛରୁ ଫେରିବାକୁ ପଡିଥିଲା ।
ଏହାମଧ୍ୟ ପଢନ୍ତୁ: Indian climber missing: ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ଭାରତୀୟ ପବର୍ତାରୋହୀ ନିଖୋଜ
୨୦୨୨ ଏପ୍ରିଲ ୨୮ରେ ବଲଜିତ କୌର ୮୦୯୧ ମିଟର ଉଚ୍ଚ ମାଉଣ୍ଟ ଅନ୍ନପୂର୍ଣ୍ଣା ଶିଖରରେ ପହଞ୍ଚିଥିଲେ । ଏହାପରେ ସେହିବର୍ଷ ମେ ୧୨ରେ ୮୫୬୬ ମିଟର ଉଚ୍ଚ ମାଉଣ୍ଟ କଞ୍ଚନଜଙ୍ଗା ଆରୋହଣ କରିଥିଲେ । ବଲଜିତ ୭୧୬୧ ଉଚ୍ଚ ପୁମୋରି ପର୍ବତ ଆରୋହଣ କରିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ହାସଲ କରିଥିଲେ । ଏହି ସଫଳତା ପରେ ସେ କହିଥିଲେ ଯେ, ତାଙ୍କର ଏହି ଉଡାଣ ଏଇଠି ଥମିବ ନାହିଁ । ଆସନ୍ତା ବର୍ଷ ସେ ଏଭରେଷ୍ଟ ଶିଖରରେ ତ୍ରିରଙ୍ଗା ଉଡାଇବେ ।
ଅନ୍ୟପଟେ ରାଜସ୍ଥାନ କିଶନଗଡ ନିବାସୀ ଅନୁରାଗ ମାଲୁ ମଧ୍ୟ ଅନ୍ନପୂର୍ଣ୍ଣା ପର୍ବତରେ ୬ ହଜାର ମିଟର ତଳକୁ ଖସିଯିବାରୁ ପ୍ରାଣ ହରାଇଛନ୍ତି । ଅନୁରାଗ ବଲିଜିତ କୌରଙ୍କ ସହ ପର୍ବତାରୋହଣରେ ସାମିଲ ଥିଲେ । ମାଉଣ୍ଟ ଅନ୍ନପୂର୍ଣ୍ଣା ବିଶ୍ବର ଦଶମ ସର୍ବବୃହତ ପର୍ବତ ଅଟେ । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୮,୦୯୧ ମିଟର ।