ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁର ଥାନା ଅଞ୍ଚଳର ସେଫନିରେ ମାଆ ଓ ଝିଅଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଚୋରିକୁ ବିରୋଧ କରିବାରୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି । ପିଡୀତ ପ୍ରଥମେ ଥାନାରେ ଚୋରିର ଏତଲା ଦେଇଥିଲେ । ଏହାପରେ ସ୍ତ୍ରୀ ଓ ନାବାଳିକା ଝିଅ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ବି ଅଭିଯୋଗ କରିଛନ୍ତି । ଉଭୟ ପିଡୀତାଙ୍କୁ ମେଡିକାଲ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଲିସ ପଠାଇଥିବା ଜଣାପଡିଛି ।
ସୂଚନା ମୁତାବକ, ଗତ ଶନିବାର ଦିନ ରାମପୁର ସେଫନି ଥାନା ଅଞ୍ଚଳର ଏକ ଗାଁରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ କିଛି ଦୁର୍ବୁତ୍ତ ୫୦୦୦ ଟଙ୍କା ଓ ଫୋନ ଚୋରି କରି ନେଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ପରେ ସେ କହିଥିଲେ ଯେ ୩ଜଣ ଦୁର୍ବୁତ୍ତ ତାଙ୍କ ପତ୍ନୀ ଏବଂ ନାବାଳିକା ଝିଅ ସହ ମଧ୍ୟ ଦୁଷ୍କର୍ମ କରିଥିଲେ । ରାମପୁରରେ ମା ଓ ଝିଅକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ପରେ ପୋଲିସ ଅଧୀକ୍ଷକ ଅଶୋକ କୁମାର ଶୁକ୍ଲା ପହଞ୍ଚି ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ । ଏନେଇ ଏସ୍ପି ଶୁକ୍ଳା କହିଛନ୍ତି ଯେ, ଏହି ମାମଲା ସନ୍ଦେହଜନକ ରହିଛି । ସେ ଯେଉଁମାନଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ସେମାନଙ୍କ ସହ ପୂର୍ବରୁ ତାଙ୍କର ବିବାଦ ରହିଥିଲା ।
ଏସପି ଅଶୋକ କୁମାର ଶୁକ୍ଲା ଆହୁରି ମଧ୍ୟ କହିଛନ୍ତି, ଏହି ମାମଲାରେ ପୀଡିତାଙ୍କ ପରିବାର ଗୋଟିଏ ଥରରେ ସମ୍ପୂର୍ଣ୍ଣ ସୂଚନା ଦେଇ ନାହାଁନ୍ତି । ଅନେକ ରାଉଣ୍ଡ ପଚରାଉଚରା ବେଳେ ପୀଡ଼ିତା ଓ ତାଙ୍କ ପରିବାର ପୋଲିସକୁ ପ୍ରତ୍ୟେକ ଥର ନୂଆ କଥା କହିଥିଲେ। ସେଥିପାଇଁ ପୋଲିସ ଏବେ ଅନେକ ଦିଗ ଉପରେ ଅନୁସନ୍ଧାନ କରୁଛି।
ଅନ୍ୟପଟେ ପୀଡ଼ିତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି ଯେ, ଗତ ଶନିବାର ରାତିରେ ୩ଜଣ ଦୁଷ୍କର୍ମକାରୀ ତାଙ୍କ ଘରେ ପ୍ରବେଶ କରି ଲୁଟ୍ କରିଥିଲେ । ତାହାକୁ ପ୍ରତିବାଦ କରିବାରୁ ତାଙ୍କୁ ଖଟରେ ବାନ୍ଧି ଦେଇ ତାଙ୍କ ଆଖି ସାମ୍ନାରେ ପତ୍ନୀ ଏବଂ ଝିଅ ସହ ଗଣଦୁଷ୍କର୍ମ କରିଥିଲେ । କିନ୍ତୁ ଶନିବାର ରାତିରେ ଅଭିଯୋଗକାରୀ କେବଳ ଚୋରି ବିଷୟରେ ପୋଲିସକୁ ସୂଚନା ଦେଇଥିବା କହିଛନ୍ତି ରାମପୁର ଏସପି । ଏନେଇ ସେହି ଆଧାରରେ ସେଫନି ପୋଲିସ ଏକ ମାମଲା ରୁଜୁ ମଧ୍ୟ କରିଥିଲା । କିନ୍ତୁ ତାପର ଦିନ ଗଣଦୁଷ୍କର୍ମ ଅଭିଯୋଗ ନେଇ ପୋଲିସ ଦ୍ବନ୍ଦ୍ୱରେ ପଡିବା ସହ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ