ମୁମ୍ବାଇ: 1993 ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ସଲିମ ଗାଜିର କରାଚୀରେ ମୃତ୍ୟୁ ହୋଇଛି । ରବିବାର ପାକିସ୍ତାନର କରାଚିରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ କିଛି ଦିନ ହେବ ଗାଜି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାବେଳେ ଗତକାଲି ହୃଦଘାତରେ ତାର ମୃତ୍ୟୁ ହୋଇଛି ।
ଅଣ୍ଡରଓ୍ବାର୍ଲ୍ଡ ଡନ ଛୋଟା ସକିଲର ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ସଲିମ ଗାଜିକୁ 1993 ମୁମ୍ବାଇ ବିସ୍ଫୋରଣ ଘଟଣାର ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତ ଭାବେ ଘୋଷଣା କରିଥିଲା ପାକିସ୍ତାନ । ଆକ୍ରମଣ ପରେ ଦାଉଦ ଇବ୍ରାହିମ ସମେତ ଗାଜି ଓ ତାର ସହଯୋଗୀ ଅପରାଧୀମାନେ ଭାରତରୁ ଫେରାର ହୋଇ ପାକିସ୍ତାନରେ ଆତ୍ମଗୋପନ କରିଥିଲା ।
1993ରେ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରାଯିବା ପରେ ଗାଜି ସମେତ ଅନ୍ୟ କିଛି ଆତଙ୍କବାଦୀ ମୋଷ୍ଟ ଓ୍ବାଣ୍ଟେଡ ତାଲିକାଭୁକ୍ତ ହୋଇଥିଲେ । ଗାଜି ପ୍ରଥମେ ପାକିସ୍ତାନ ଓ ପରେ ବିଭିନ୍ନ ଦେଶରେ ଆତ୍ମଗୋପନ କରିଥିଲା । ପରେ ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ସକିଲର ବେଆଇନ ସାମ୍ରାଜ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା ।
ସଲିମ ଗାଜିକୁ ମୋଷ୍ଟ ଓ୍ବାଣ୍ଟଡ ଆତଙ୍କବାଦୀ ଭାବେ ଆନ୍ତର୍ଜାତୀୟ ସଂସ୍ଥା ଇଣ୍ଟରପୋଲ ମଧ୍ୟ ଧରିବାକୁ ମିଶନ ଜାରି ରଖିଥିଲା । ହେଲେ ବାରମ୍ବାର ସ୍ଥାନ ବଦଳାଇ ଚାଲିଥିବା ଗାଜି ସେସବୁୁ ବର୍ତ୍ତିବାରେ ସଫଳ ରହିଥିଲା । ତେବେ ରବିବାର କରାଚୀରେ ତାର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।
ମୁମ୍ବାଇ ଆକ୍ରମଣ ଘଟଣାରେ ସଲିମ ଗାଜି ବ୍ୟତୀତ ଛୋଟା ସକିଲ, ଦାଉଦ ଇବ୍ରାହିମ, ଟାଇଗର ମେନନ ଏବଂ ତାର ପରିବାର ସଦସ୍ୟଙ୍କ ନାମ ମଧ୍ୟ ଆତଙ୍କୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସେହି ଆକ୍ରମଣରେ ପ୍ରାୟ 250 ନିରୀହ ମୁମ୍ବାଇବାସୀ ପ୍ରାଣ ହରାଇଥିବା ବେଳେ 600ରୁ ଅଧିକ ଆହତ ହୋଇଥିଲେ । ଏବେ ସୁଦ୍ଧା ଏହି ଘଟଣାର ଅନେକ ଆତଙ୍କବାଦୀ ଘୋଷିତ ଅଭିଯୁକ୍ତ ପାକିସ୍ତାନରେ ଲୁଚି ରହି ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ