ଚେନ୍ନାଇ: ଚେନ୍ନାଇରେ ଆରମ୍ଭ ହେଲା ପ୍ରତି ଡୋର-ଟୁ-ଡୋର ଟୀକାକରଣ ଅଭିଯାନ । ଆଜି (ଶନିବାର) ଏହି ଅଭିଯାନକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ.ମୁରୁଗନ । ସହରର ସୋମଥାମନଗର, ବୃନ୍ଦାବନ ନଗର, ଆୟାପ୍ପା ନାଗର ଅଞ୍ଚଳରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଏନେଇ ତାମିଲନାଡୁ ସରକାରଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ।
କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ ମୁରୁଗନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସମଗ୍ର ଦେଶରେ ଟୀକାକରଣକୁ ସମସ୍ତ ନାଗରିକଙ୍କ ନିକଟରେ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏନେଇ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଅଭିଯାନକୁ ତ୍ବରାନ୍ବିତ କରାଯିବା ଉପରେ ଜୋର ଦେଇଥିଲେ ।
ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଗୁଜୁରାଟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତାମିଲନାଡୁରେ ଏହାକୁ ପ୍ରାଦେଶିକ ସରକାର ସହଯୋଗରେ ଆଜି କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ ମୁରଗନ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଜେ କିଛି ସ୍ଥାନ ବୁଲିବା ସହ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ଏ ଅନ୍ୟ କୋଭିଡ ପ୍ରୋଟୋକଲଗୁଡିକ ଅନୁସରଣ କରିବାକୁ ମଧ୍ୟ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀ କହିଛନ୍ତି ଯଦିଓ ଆମେ ଦୀପାବଳି ପର୍ବ ଅତିକ୍ରମ କରିଛୁ, କିନ୍ତୁ ବର୍ତ୍ତମାନ ମଧ୍ୟ ଆମେ କୋଭିଡକୁ ହାଲୁକା ଭାବେ ନେବା ଆଦୌ ଉଚିତ ନୁହେଁ ।
100 କୋଟି ନାଗରିକଙ୍କୁ ଟିକା ଦେଇ ଭାରତ ବିଶ୍ବ ସ୍ତରରେ କୋଭିଡ ବିରୋଧୀ ଲଢେଇରେ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ବ ଓ ରାଜ୍ୟ ସରକାରମାନଙ୍କ ସହଯୋଗରେ ଏହି ଅଭିଯାନ ସଫଳ ହୋଇପାରିଥିବା ଦର୍ଶାଇବା ସହ ଅଭିଯାନରେ ଯୋଡି ହୋଇଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ ବିଭାଗର କର୍ମକର୍ତ୍ତାମାନଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ