କୋଲକାତା: ଉଚ୍ଚଶିକ୍ଷା ପାଇଁ ଛାତ୍ରମାନଙ୍କୁ ସହଜ ଋଣ ଯୋଗାଇବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁନ୍ 30ରେ ’ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ପାଇଁ ମାତ୍ର 6 ଦିନରେ 10,000 ରୁ ଅଧିକ ଛାତ୍ର ଆବେଦନ କରିଥିବା ଜଣାପଡିଛି ।
ପଶ୍ଚିମବଙ୍ଗ ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ 10 ହଜାରରୁ ଅଧିକ ଛାତ୍ର ଋଣ ପାଇଁ ଆବେଦନ କରିଛନ୍ତି । ଆବେଦନକାରୀ ଛାତ୍ରଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାଞ୍ଚ ଶେଷ ପରେ ବ୍ୟାଙ୍କକୁ ଆବେଦନ ପଠାଇବା କାର୍ଯ୍ୟ ଆରମ୍ଭ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।
ଏହି ଯୋଜନାରେ ଥିବା ବ୍ୟବସ୍ଥା ଅନୁଯାୟୀ ଛାତ୍ରମାନେ ସେମାନଙ୍କ ହାତରେ ଟଙ୍କା ପାଇବେ ନାହିଁ ବରଂ ଏହି ଟଙ୍କା ସିଧାସଳଖ ଅନୁଷ୍ଠାନକୁ ପଠାଯିବ। ଏହି ଯୋଜନା ବିରୋଧରେ କୌଣସି ପ୍ରକାରର ଅଭିଯୋଗ ହେବା ଉଚିତ୍ ନୁହେଁ, ତେଣୁ ଆମେ ଏହାକୁ ସମ୍ପୂର୍ଣ୍ଣ ସ୍ବଚ୍ଛତାର କରିବାକୁ ଚେଷ୍ଟା କରୁଛୁ ବୋଲି ମଧ୍ୟ ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି ।
ଆବେଦନ କରିଥିବା ଛାତ୍ରମାନଙ୍କ ବାବଦର ପଶ୍ଚିମବଙ୍ଗ ସରକାର ଦେଇଥିବା ତଥ୍ୟ ଆଧାରରେ 10 ହଜାର ଆବେଦନକାରୀଙ୍କ ମଧ୍ୟରୁ 7 ହଜାର ଛାତ୍ର ନିଜ ରାଜ୍ୟରେ ଅଧ୍ୟୟନ ପାଇଁ ଆବେଦନ କରିଥିବାବେଳେ ବାକି ଆବେଦନକାରୀମାନେ ଚାହୁଁଛନ୍ତି ଯେ ରାଜ୍ୟ ସରକାର ଅନ୍ୟ ରାଜ୍ୟରେ ସେମାନଙ୍କ ଅଧ୍ୟୟନ ପାଇଁ ଅର୍ଥ ପ୍ରଦାନ କରନ୍ତୁ |
ପ୍ରାଥମିକ ଆକଳନ ଅନୁଯାୟୀ, ଏହି ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ପ୍ରାୟ 5000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆବେଦନକାରୀଙ୍କ ସଂଖ୍ୟା ପ୍ରାରମ୍ଭିକ ଆକଳନ ତୁଳନାରେ ବହୁତ ଅଧିକ ହେବ ବୋଲି ଆକଳନ କରୁଛି ପଶ୍ଚିମବଙ୍ଗ ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ