ହାଇଦ୍ରାବାଦ: ଆବାସ ଯୋଜନାରେ ପକ୍କା ଘର ମିଳିଥିବା ଜଣେ ହିତାଧିକାରୀଙ୍କୁ ଚିଠି ଲେଖିଲେ ମୋଦି। ମଧ୍ୟପ୍ରଦେଶ ସାଗର ଜିଲ୍ଲାର ସୁଧୀର କୁମାର ଜୈନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଘର କେବଳ ଇଟା ସିମେଣ୍ଟରେ ପ୍ରସ୍ତୁତ ହୋଇଥିବା ଏକ ଢାଞ୍ଚା ନୁହେଁ । ଏହା ଆମ ଭାବନା । ଘର ସହ ଆମର ଆକାଂକ୍ଷା ଯୋଡ଼ି ହୋଇ ରହିଛି । ଏହାର ଚାରି କାନ୍ଥ ଆମକୁ ସୁରକ୍ଷା ପ୍ରଦାନ କରିବା ସହିତ ଆମ ମନରେ ଏକ ଉନ୍ନତ ଭବିଷ୍ୟତ ପାଇଁ ଭରସା ଓ ବିଶ୍ବାସ ଜାଗ୍ରତ କରିଥାଏ । ଏଭଳି କିଛି ଭାବପ୍ରବଣ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୁଧୀରଙ୍କୁ ପଠାଇଥିବା ଚିଠିରେ ମୋଦି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ନିଜ ପାଇଁ ଘରଟିଏ ତୋଳିବା ଆପଣଙ୍କର ସ୍ବପ୍ନ ସାକାର ହୋଇପାରିଛି । ଏହି ଉପଲବ୍ଧି ପରେ ଆପଣଙ୍କ ଭିତରେ ଯେଉଁ ସନ୍ତୋଷ ଭାବନା ଜାଗ୍ରତ ହୋଇଛି ତାହା ଆପଣ ଲେଖିଥିବା ପତ୍ରର ଶବ୍ଦରେ ଖୁବ ସହଜ ଭାବେ ପ୍ରତିଫଳିତ ହୋଇଛି । ଆପଣଙ୍କ ପରିବାରର ସମ୍ମାନପୂର୍ଣ୍ଣ ଜୀବନ ଏବଂ ଦୁଇ ପିଲାମାନଙ୍କର ଉନ୍ନତ ଭବିଷ୍ୟତ ପାଇଁ ଘର ଏକ ନୂତନ ଆଧାର ସଦୃଶ ଅଟେ। ନିଜର ଏକ ଘର ପାଇବାର ଖୁସି ଅମୂଲ୍ୟ ବୋଲି ପ୍ରଧାନମନ୍ତୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହିତ ମୋଦି ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏବେ ସୁଦ୍ଧା କୋଟି କୋଟି ହିତାଧିକାରୀଙ୍କୁ ନୂଆ ପକ୍କା ଘର ମିଳିସାରିଛି ।
ସରକାର ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି। ସରକାର ବିଭିନ୍ନ ଜନ-କଲ୍ୟାଣକାରୀ ଯୋଜନା ଜରିଆରେ ଦେଶବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସଚ୍ଚୋଟ ପ୍ରୟାସ କରୁଛନ୍ତି । ସୁଧୀରଙ୍କ ଭଳି ହିତାଧିକାରୀଙ୍କ ଜୀବନରେ ଆସିଥିବା ସ୍ମରଣୀୟ ମୁହୂର୍ତ୍ତ ରାଷ୍ଟ୍ର ପାଇଁ ଅବିଶ୍ରାନ୍ତ ଭାବେ ତଥା ଅବିରାମ ଗତିରେ ନିରନ୍ତର କାର୍ଯ୍ୟ କରିବା ଲାଗି ପ୍ରେରଣା ଓ ଶକ୍ତି ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
କିଛି ଦିନ ପୂର୍ବରୁ ସୁଧୀରଙ୍କୁ ପିଏମ ଆବାସ ଯୋଜନା ଅଧୀନରେ ପକ୍କା ଘର ମିଳିଥିଲା । ଏଥିପାଇଁ ସୁଧୀର ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିବା ଚିଠିରେ ସୁଧୀର ଲେଖିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ବାସଗୃହ ଘର ନଥିବା ଗରିବ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେ ଭଡ଼ା ଘରେ ରହୁଥିଲେ । ନିଜ ଘର ନଥିବାରୁ ୬-୭ ଥର ଘର ବଦଳାଇ ସାରିଥିଲେ ବୋଲି ସୁଧୀର ନିଜ ଚିଠିରେ ଉଲ୍ଲେଖ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ