ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି (ମଙ୍ଗଳବାର) ପ୍ରୟାଗରାଜରେ ହେବାକୁ ଥିବା ବିଶାଳ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ସାମିଲ ହେବାର କାର୍ଯ୍ୟକ୍ରମ ରଖାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ PMO ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ତୃଣମୂଳ ସ୍ତରରୁ ଆବଶ୍ୟକ ହେଉଥିବା ଦକ୍ଷତା ବିକାଶ ଓ ପ୍ରତ୍ସାହନ ଯୋଗାଇବା ଫଳରେ ସେମାନେ ସ୍ବାବଲମ୍ବୀ ହୋଇପାରିବା ନେଇ ଏଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲିର ଏହି ସଶକ୍ତିକରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ୧ ହଜାର କୋଟିର ଟଙ୍କାର ପ୍ରୋତ୍ସାହନ ରାଶି ଟ୍ରାନ୍ସଫର କରିବେ । ଏହି ଆର୍ଥିକ ପ୍ରୋତ୍ସାହନ ଦ୍ବାରା ଉତ୍ତରପ୍ରଦେଶର ପ୍ରାୟ ୧୬ ଲକ୍ଷ ମହିଳା ବିଭିନ୍ନ ସ୍ବଂୟ ସହାୟିକା ଗୋଷ୍ଠୀ (SHG) ମାଧ୍ୟମରେ ଉପକୃତ ହେବ ବୋଲି କୁହାଯାଉଛି ।
ଏହି ମହିଳା ସଶକ୍ତିକରଣ ଯୋଜନା ଦୀନ ଦୟାଲ ଅନ୍ତଦୋୟ ଯୋଜନା ଅଧୀନ ଜାତୀୟ ଗ୍ରାମୀଣ ଲାଇଭଲିହୁଡ ମିଶନ (DAY-NRLM) ଅଧୀନରେ କାର୍ଯ୍ୟକାରୀ ହେବ । ଏହି ଯୋଜନା ଅଧୀନରେ ପ୍ରାୟ ୮୦ ହଜାର ସ୍ବଂୟ ସହାୟିକା ଗୋଷ୍ଠୀ କମ୍ୟୁନିଟି ଇନଭେଷ୍ଟମେଣ୍ଟ ପଣ୍ଡ ପାଇପାରିବେ । ଏହି ଯୋଜନାରେ ପ୍ରତ୍ୟେକ ସ୍ବଂୟ ସହାୟିକା ଗୋଷ୍ଠୀ ୧ ଲକ୍ଷ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ନିବେଶ ପାଇପାରିବେ । ସେହିପରି ପ୍ରତ୍ୟେକ ଗୋଷ୍ଠୀକୁ ୧୫ ହଜାର ଟଙ୍କାର ରିସଲଭିଂ ଫଣ୍ଡ ଆକାରରେ ମଧ୍ୟ ୬୦ ହଜାର ମହିଳା ସ୍ବଂୟ ସହାୟିକା ଗୋଷ୍ଠୀଙ୍କୁ ସହାୟତା ଯୋଗାଇ ଦିଆଯିବ ।
ଆସନ୍ତାବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଚଳିତମାସ ଏକାଧିକ ଥର ଉତ୍ତର ପ୍ରଦେଶ ଗସ୍ତ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇ ସାରିଲେଣି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ବନାଥ କରିଡର ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ପରେ ପୁଣି ଉତ୍ତର ପ୍ରଦେଶ ଗସ୍ତ କରି ସାହାଜାହନପୁରରେ ଗଙ୍ଗା ଏକ୍ସପ୍ରେସ-ଓ୍ବେ ର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି ।
@IANS